Antodaya Yojana: ଅନ୍ତୋଦୟ ଯୋଜନାରେ ଅନିୟମିତତା ଅଭିଯୋଗ
ଭଦ୍ରକ ଭଣ୍ଡାରୀପୋଖରୀରେ ଅନ୍ତୋଦୟ ଯୋଜନାରେ ଅନିୟମିତତା ଅଭିଯୋଗ। ଗୋଟିଏ ପରିବାରର ୩ ବୋହୂଙ୍କ ସମେତ ୫ ଜଣଙ୍କୁ ଘର ମଞ୍ଜୁର ନେଇ ତଦନ୍ତ ଆରମ୍ଭ।
ଭଣ୍ଡାରୀପୋଖରୀ: ଅନ୍ତୋଦୟ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମଞ୍ଜୁର ଓ ପ୍ରଥମ କିସ୍ତି ପ୍ରଦାନକୁ ନେଇ ଭଦ୍ରକ ଜିଲ୍ଲାରେ ଅଭିଯୋଗ ଉଠିଛି। ଘଟଣାଟି ଭଣ୍ଡାରୀପୋଖରୀ ବ୍ଲକ ଅଧୀନ ସରସଦା ପଞ୍ଚାୟତର ପିରିପୁର ଗାଁର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗୋଟିଏ ପରିବାରର ତିନି ବୋହୂଙ୍କ ସମେତ ମୋଟ ୫ ଜଣଙ୍କୁ ଯୋଜନାରେ ହିତାଧିକାରୀ କରାଯାଇ ପ୍ରଥମ କିସ୍ତି ଦିଆଯାଇଛି। ତାଲିକା ପ୍ରସ୍ତୁତି ପରେ ସ୍ଥାନୀୟ ଲୋକେ ବିଡିଓ, ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏନେଇ ହିତାଧିକାରୀଙ୍କୁ ଘର ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି।
ପରେ ଘଟଣାଟି ଗଣମାଧ୍ୟମରେ ଆସିବା ପରେ ଜିଲ୍ଲାପାଳ ତିନି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ୫ ଜଣ ହିତାଧିକାରୀ ଯୋଗ୍ୟ ନୁହନ୍ତି ବୋଲି ତଦନ୍ତକାରୀ ଅଧିକାରୀ କହିଥିବା ଜଣାପଡ଼ିଛି। ମୁଖ୍ୟ ଉନ୍ନୟନ ଅଧିକାରୀ ମଧ୍ୟ ଅନିୟମିତତା ଅଭିଯୋଗକୁ ଗୁରୁତ୍ୱ ଦେଇ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଥିବା ଏବଂ ରିପୋର୍ଟ ଆଧାରରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିବା ଜଣାପଡ଼ିଛି। ଏବେ ତଦନ୍ତ ରିପୋର୍ଟ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

