MV Golden Leo ଉପରେ ମିସାଇଲ୍ ଆକ୍ରମଣ । ୪ ଭାରତୀୟଙ୍କ ମୃତ୍ୟୁ
ୟୁକ୍ରେନର ବାଣିଜ୍ୟିକ ଜାହାଜ ଉପରେ ମିସାଇଲ୍ ଆକ୍ରମଣ। ୪ ଭାରତୀୟଙ୍କ ମୃତ୍ୟୁ, ଜଣେ ଗୁରୁତର। ଆକ୍ରମଣକୁ କଡା ନିନ୍ଦା କରିଛି ଭାରତ।
ୟୁକ୍ରେନର ଓଡେସା ବନ୍ଦର ଛାଡ଼ିବା ସମୟରେ ଏକ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ୍ ଆକ୍ରମଣ। ଏହି ଆକ୍ରମଣରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଭାରତୀୟ ଗୁରୁତର ଅବସ୍ଥାରେ ଅଛନ୍ତି। ଘଟଣାକୁ ନେଇ ଭାରତ ଦୃଢ଼ ନିନ୍ଦା କରିଛି। ୟୁକ୍ରେନର ଓଡେସା ବନ୍ଦର ନିକଟରେ ରୁଷିଆ-ୟୁକ୍ରେନ ଯୁଦ୍ଧର ଆଉ ଏକ ଭୟାବହ ପରିଣାମ। MV Golden Leo ନାମକ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ଘଟଣାଟି ୧୯ ଜୁଲାଇ ସନ୍ଧ୍ୟାରେ ଘଟିଥିଲା। ଆକ୍ରମଣ ସମୟରେ ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ୫ ଜଣ ଭାରତୀୟ ଥିଲେ। ଆଉ ଜଣେ ଭାରତୀୟ କ୍ରୁ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନରେ ଥିବା ଭାରତୀୟ ମିଶନ୍ ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଉଛି। ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରିବା ଏବଂ ସାଧାରଣ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବାକୁ ଭାରତ ନିନ୍ଦା କରିଛି। ନୌଚଳାଚଳ ଓ ବାଣିଜ୍ୟର ସ୍ୱାଧୀନତାକୁ ବାଧା ଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି।
ତେଵେ ୟୁକ୍ରେନର ଦାବି ଅନୁସାରେ, ରୁଷିଆର କ୍ରୁଜ୍ ମିସାଇଲ୍ ଆକ୍ରମଣରେ ଜାହାଜରେ ନିଆଁ ଲାଗିଥିଲା। ଉଦ୍ଧାର ଅଭିଯାନରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୯ ଜଣ କ୍ରୁ ସଦସ୍ୟ ଓ ଜଣେ ସାମୁଦ୍ରିକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ କହିଛି। ଏହା ଓଡେସା ବନ୍ଦରରୁ ଶସ୍ୟ ନେଇ ବାହାରୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲା। ଏହି ଘଟଣା ମଧ୍ୟରେ ରୁଷିଆ ଓ ୟୁକ୍ରେନ ଉଭୟ ପକ୍ଷର ଆକ୍ରମଣ ତୀବ୍ର ହୋଇଛି। ଯୁଦ୍ଧ ମଧ୍ୟରେ ବାଣିଜ୍ୟିକ ଜାହାଜ ଓ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଭାରତୀୟ ମିଶନ୍ ଘଟଣାର ପରବର୍ତ୍ତୀ ସ୍ଥିତି ଉପରେ ନଜର ରଖିଛି।
