ବ୍ୟାନରକୁ ନେଇ ବିବାଦରେ ଆର୍ଜେଣ୍ଟିନା
ଖେଳ ମୈଦାନରେ ରାଜନୈତିକ ପ୍ରତୀକକୁ ଅନୁମତି ନଥାଏ। ବିଶ୍ୱକପ ଆମର ହେଲାନି ସତ। କିନ୍ତୁ ଫକଲ୍ୟାଣ୍ଡ ଦ୍ୱୀପ ନିଶ୍ଚିତ ରୂପରେ ଆମର ବୋଲି କହିଛନ୍ତି ବ୍ରିଟେନ ମନ୍ତ୍ରୀ। ୨୦୧୪ରେ ମଧ୍ୟ ଏଭଳି ବ୍ୟାନର ସହ ଫଟୋ ଉଠାଇଥିବାରୁ ଆର୍ଜେଣ୍ଟିନା ଫୁଟବଲ ସଂଘ ଉପରେ ୨୦ହଜାର ପାଉଣ୍ଡର ଆର୍ଥିକ ଜରିମାନା ଲଗାଇଥିଲା ଫିଫା।

ଫାଇନାଲରେ ନିଜ ଜାଗା ପକ୍କା କରିଛି ଆର୍ଜେଣ୍ଟିନା। ଜୁଲାଇ ୧୯ରେ ସ୍ପେନକୁ ଭେଟିବ। ସେମିଫାଇନାଲରେ ଇଂଲଣ୍ଡକୁ ୨-୧ରେ ହରାଇବା ପରେ ଯେଉଁ ସେଲିବ୍ରେସନ କରିଥିଲା ଆର୍ଜେଣ୍ଟିନା ଟିମ୍। ତାହା ହିଁ ନୂଆ ବିବାଦର ସୂତ୍ର ସାଜିଛି। କାରଣ ଆର୍ଜେଣ୍ଟିନା ଖେଳାଳୀ ମୈଦାନରେ ଫକଲ୍ୟାଣ୍ଡ ସହ ଜଡ଼ିତ ବ୍ୟାନର ଦେଖାଇଥିଲେ। ମ୍ୟାଚ୍ ପରବର୍ତ୍ତୀ ଉତ୍ସବରେ କିଛି ଖେଳାଳି "Las Malvinas Son Argentinas" (ମାଲଭିନାସ୍ ବା ଫକଲ୍ୟାଣ୍ଡ ଦ୍ୱୀପପୁଞ୍ଜ ଆର୍ଜେଣ୍ଟିନାର) ଲେଖାଥିବା ଏକ ବ୍ୟାନର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ବ୍ରିଟେନ ଓ ଆର୍ଜେଣ୍ଟିନା ମଧ୍ୟରେ ଦୀର୍ଘ ଦିନର ଭୂଖଣ୍ଡ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ଏହା ପରେ ଏହି ମାମଲା ରାଜନୀତିକ ମୋଡ଼ ନେଇସାରିଲାଣି। ଏବେ ଫିଫା କହିଲାଣି, ମ୍ୟାଚ୍ ରିପୋର୍ଟ ସମୀକ୍ଷା ପରେ ଆଗକୁ ନିଷ୍ପତ୍ତି ନିଆଯିବ। ମ୍ୟାଚ୍ ଜିତିବା ପରେ ଫକଲ୍ୟାଣ୍ଡ ଆର୍ଜେଣ୍ଟିନାର ବୋଲି ଲେଖାଥିବା ବ୍ୟାନର ପ୍ରଦର୍ଶନ କରିଥିଲା। ଏହା ପରେ ବ୍ରିଟେନର ଜଣେ ମନ୍ତ୍ରୀ ଫିଫା ଏହାର ତଦନ୍ତ କରୁ ବୋଲି ଦାବି କରିଛନ୍ତି। ଫିଫା ବିଳମ୍ୱିତ ରାତିରେ ବୟାନ ଜାରି କରି କହିଛି ଯେ, ଫିଫାର ଶୃଙ୍ଖଳା କମିଟି ମ୍ୟାଚ୍ ରିପୋର୍ଟକୁ ତର୍ଜମା କରୁଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ବାଣିଜ୍ୟ ମନ୍ତ୍ରୀ ପିଟର କାଇଲ କହିଛନ୍ତି ଏଭଳି ବ୍ୟାନର ପ୍ରଦର୍ଶନ ଫିଫା ନିୟମର ଚରମ ଉଲ୍ଲଂଘନ କରିଛି। ଖେଳ ମୈଦାନରେ ରାଜନୈତିକ ପ୍ରତୀକକୁ ଅନୁମତି ନଥାଏ। ବିଶ୍ୱକପ ଆମର ହେଲାନି ସତ। କିନ୍ତୁ ଫକଲ୍ୟାଣ୍ଡ ଦ୍ୱୀପ ନିଶ୍ଚିତ ରୂପରେ ଆମର ବୋଲି କହିଛନ୍ତି ବ୍ରିଟେନ ମନ୍ତ୍ରୀ। ୨୦୧୪ରେ ମଧ୍ୟ ଏଭଳି ବ୍ୟାନର ସହ ଫଟୋ ଉଠାଇଥିବାରୁ ଆର୍ଜେଣ୍ଟିନା ଫୁଟବଲ ସଂଘ ଉପରେ ୨୦ହଜାର ପାଉଣ୍ଡର ଆର୍ଥିକ ଜରିମାନା ଲଗାଇଥିଲା ଫିଫା। ସେତେବେଳେ ଏହାକୁ ରାଜନୈତିକ ଗତିବିଧି ଓ ଟିମର ଅନୁଚିତ ଆଚରଣ କହିଥିଲା ପିଫା। ଫକଲ୍ୟାଣ୍ଡ ଦ୍ୱୀପପୁଞ୍ଜ (ଆର୍ଜେଣ୍ଟିନାରେ ମାଲଭିନାସ୍ ନାମରେ ପରିଚିତ) ଉପରେ ମାଲିକାନାକୁ ନେଇ ବ୍ରିଟେନ ଓ ଆର୍ଜେଣ୍ଟିନା ମଧ୍ୟରେ ଦଶକ ଧରି ବିବାଦ ରହିଛି। ୧୯୮୨ ମସିହାରେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ମଧ୍ୟ ହୋଇଥିଲା। ଏଭଳି ସମ୍ବେଦନଶୀଳ ରାଜନୈତିକ ବାର୍ତ୍ତାକୁ ବିଶ୍ୱକପ୍ ମଞ୍ଚରେ ପ୍ରଦର୍ଶନ କରାଯିବା ନୂଆ ବିବାଦ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଫିଫା ଆର୍ଜେଣ୍ଟିନାକୁ ବିଶ୍ୱକପ୍ ଫାଇନାଲରୁ ବାଦ ଦେବା କିମ୍ୱା କୌଣସି କଠୋର ଦଣ୍ଡ ଘୋଷଣା କରିନାହିଁ। ପୂର୍ବରୁ ଏଭଳି ଘଟଣାରେ ସାଧାରଣତଃ ଜରିମାନା କିମ୍ୱା ସତର୍କବାଣୀ ଦିଆଯାଇଥିବାରୁ ଏଥର ମଧ୍ୟ ସେହିଭଳି ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା ହେଉଛି। ଫିଫାର ଚୂଡ଼ାନ୍ତ ନିଷ୍ପତ୍ତିକୁ ଏବେ ସମସ୍ତଙ୍କ ଅପେକ୍ଷା। ସେପଟେ ଅନ୍ଧବିଶ୍ୱାସ କାରଣରୁ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜେଭିୟର ମାଇଲି ସ୍ପେନ ବିରୁଦ୍ଧରେ ଫାଇନାଲ ମ୍ୟାଚ ଦେଖିବାକୁ ଯିବେନି ଆମେରିକା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
