ଆନ୍ଧ୍ର ପରେ ଓଡିଶାକୁ କୋଭିଡ୍ ଭୟ
ଆନ୍ଧ୍ରରେ ପରେ କୋଭିଡକୁ ନେଇ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାର ସିଡିଏମଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ। ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଟେଷ୍ଟ କରିବାକୁ କୁହାଯାଇଛି। ରଥଯାତ୍ରା ଆସୁଥିବାରୁ କୌଣସି ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଆନ୍ଧ୍ର ପରେ ଏବେ ଓଡିଶାରେ କୋଭିଡକୁ ନେଇ ଦେଖାଦେଲାଣି ଭୟ। ଆନ୍ଧ୍ର ପ୍ରଦେଶରେ ଦୁଇଜଣଙ୍କ କୋଭିଡ ମୃତ୍ୟୁକୁ ନେଇ ସୀମାନ୍ତ ଓଡ଼ିଶାରେ ବି ହାଇ ଆଲର୍ଟ. ଓଡ଼ିଶାରେ ସବୁ ସମୟରେ କୋଭିଡ ସତର୍କତା ରହିଛି। ସବୁବେଳେ ଟେଷ୍ଟ ହେଉଛି। ଆନ୍ଧ୍ର ପାଖରେ ଥିବା ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର CDMO ମାନଙ୍କୁ ସନ୍ଦିଗ୍ଧଙ୍କ ଟେଷ୍ଟ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଟେଷ୍ଟ କରନ୍ତୁ। ଆଗକୁ ରଥଯାତ୍ରା ଆସୁଛି। କୌଣସି ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର ।
ଅନ୍ୟପଟେ, ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ କଡପା ଜିଲ୍ଲାରେ ପୁଣିଥରେ କୋଭିଡ୍-୧୯ ମାମଲା ବଢ଼ିବା ନେଇ ଚିନ୍ତା ବଢ଼ିଛି। ଗତ କିଛି ସପ୍ତାହରେ ୮ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜମ୍ପେଟ ଅଞ୍ଚଳର ଜଣେ ୫୨ ବର୍ଷୀୟ ବ୍ୟକ୍ତି ଜ୍ୱର ଓ କାଶରେ ପୀଡ଼ିତ ହେବା ପରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ, ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ କଡପାର ଜଣେ ୪୩ ବର୍ଷୀୟ ବ୍ୟକ୍ତି ଅସୁସ୍ଥତା କାରଣରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷାରେ ସେ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିବା ପରେ କୋଭିଡ୍ ଆଇସିୟୁରେ ଚିକିତ୍ସା ଚାଲିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥିତି ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡପାକୁ ସ୍ୱତନ୍ତ୍ର ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି। ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୪୦ଟି ନମୁନା ସଂଗ୍ରହ ହୋଇଥିବା ବେଳେ ୧୮ଟି ରିପୋର୍ଟ ନେଗେଟିଭ୍ ଆସିଛି। ଅନ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ କଡପାରେ ୮ଟି ସକ୍ରିୟ କୋଭିଡ୍ ମାମଲା ରହିଛି। ଭାଇରସର ଭାରିଆଣ୍ଟ ଓ ସଂକ୍ରମଣ ପ୍ରକୃତି ଜାଣିବା ପାଇଁ ନମୁନାଗୁଡ଼ିକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପୁଣେର ଲାବରେଟରୀକୁ ପଠାଯାଇଛି।
