କେନ୍ଦୁଝର ବଡ଼ଦାଣ୍ଡକୁ ଛୁଟିଛି ଭକ୍ତଙ୍କ ସୁଅ
ବିଶ୍ଵର ସର୍ବୋଚ୍ଚ ରଥରେ ବସି ଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି ଶ୍ରୀଜୀଉ । ଶ୍ରଦ୍ଧାଳୁଙ୍କ ଗହଣରେ ଗୋଟି ପହଣ୍ଡି ହୋଇ ମାଉସୀ ମାଙ୍କ ମନ୍ଦିରକୁ ବିଜେ କରିଛନ୍ତି ପ୍ରଭୁ । ନୃତ୍ୟଗୀତ, ଭଜନ, କୀର୍ତ୍ତନରେ ପ୍ରକମ୍ପିତ କେନ୍ଦୁଝର ବଡ଼ଦାଣ୍ଡ ।
କେନ୍ଦୁଝର: ଝଲସୁଛି କେନ୍ଦୁଝର ବଡ଼ଦାଣ୍ଡ । ଆଲୋକମାଳାରେ ସୁସଜ୍ଜିତ କେନ୍ଦୁଝର ବଡ଼ଦାଣ୍ଡକୁ ଛୁଟିଛି ଭକ୍ତଙ୍କ ସୁଅ । ବିଶ୍ଵର ସର୍ବୋଚ୍ଚ ରଥରେ ବିରାଜମାନ ହୋଇ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଛନ୍ତି । ଏହି ଅପୂର୍ବ ଦୃଶ୍ୟକୁ ଭକ୍ତମାନେ ଅପଲକ ନୟନରେ ଅବଲୋକନ କରିଥିଲେ । ପ୍ରଭୁଙ୍କ ଦର୍ଶନରେ ଭକ୍ତର ହୃଦୟ ଆନ୍ଦୋଳିତ ହୋଇ ଉଠିଥିଲା ।
ନବଦିନାତ୍ମକ ଯାତ୍ରାରେ ୯ଦିନ ଧରି ପ୍ରଭୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଭାଗ୍ୟରେ ଥିଲେ ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ଦର୍ଶନ ମିଳେ । ଶ୍ରୀମନ୍ଦିରେ ପ୍ରଭୁଙ୍କୁ ୧୦୮ ଥର ଦର୍ଶନ କଲେ ଯେତିକି ପୂଣ୍ୟପ୍ରାପ୍ତି ହୁଏ, ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଥରେ ମାତ୍ର ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରଶାସନ ତରଫରୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ସୁନାମଧନ୍ୟ ଶିଳ୍ପୀମାନଙ୍କ ଦ୍ୱାରା ନୃତ୍ୟଗୀତ ତଥା ଭଜନ, କୀର୍ତ୍ତନର ବ୍ୟବସ୍ଥା କରାଯାଇଛି । ଯାହାକୁ ଶ୍ରଦ୍ଧାଳୁମାନେ ବେଶ୍ ଉପଭୋଗ କରୁଛନ୍ତି ।
