୪ଦିନ ପରେ କୁଅରୁ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି
ବିଜେପୁର ବ୍ଲକ ସମଲାଇପଦର ନର୍ସରୀର ନିଛାଟିଆ କୁଅରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲେ ପୋଲିସ ଓ ଅଗ୍ନିଶମ କର୍ମଚାରୀ। ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ଆହତ ବ୍ୟକ୍ତି।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀ ଅଞ୍ଚଳର ଏକ ନିଛାଟିଆ କୁଅରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ। ପରେ ସେ ମୃତ ବୋଲି ଭାବି ତାଙ୍କୁ ଉକ୍ତ କୁଅ ମଧ୍ୟରେ ଫିଙ୍ଗି ଦେଇ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି। କୁଅ ଭିତରେ ଦୀର୍ଘ ଚାରି ଦିନ ଧରି ଭୋକ ଓ ଉପବାସରେ ରହି ସେ ଜୀବନ ସହ ସଂଘର୍ଷ କରିଥିବା କହିଛନ୍ତି ଉଦ୍ଧାର ହୋଇଥିବା ବ୍ୟକ୍ତି। ସୂଚନା ଅନୁସାରେ, ବୁଧବାର ଦିନ ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୁଅ ଭିତରୁ ଜଣେ ଲୋକର ଚିତ୍କାର ଶୁଣିଥିଲେ। ପରେ ସେ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ତେବେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପ୍ରୟାସ ପରେ କୁଅ ଭିତରୁ ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଦ୍ମପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
