ମା ମଝିଘରିଆଣୀ ଦେବୀ ମନ୍ଦିରରେ ୯ଟି ଦାନ ହୁଣ୍ଡି ଗଣତି
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମାଁ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଗଣତି । ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ଭାଗ ନେଇଛନ୍ତି।
ରାୟଗଡ଼ା: ମଝିଘରିଆଣୀ ଦେବୀ ମନ୍ଦିରରେ ୯ଟି ଦାନ ହୁଣ୍ଡି ଗଣତି । ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମାଁ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି କରାଯାଇଛି। ପ୍ରାୟ ୫ ମାସ ପରେ ଦେବତ୍ତୋର ବିଭାଗର ଅନୁମତି ଏବଂ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇଛି। ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ଭାଗ ନେଇଛନ୍ତି। ବିଭିନ୍ନ ସାମାଜିକ ସଂଗଠନର ମହିଳାମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ସହଯୋଗ କରିଛନ୍ତି। ଗତ ୫ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ପ୍ରାୟ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସହ ୨.୧୫ କିଲୋଗ୍ରାମ ରୂପା, ୩୦ ଗ୍ରାମ ସୁନା ଏବଂ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ମିଳିଥିଲା। ଗଣତି ଶେଷ ହେବା ପରେ ସମସ୍ତ ଦାନର ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ୱତନ୍ତ୍ର ବସରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଜମା କରାଯିବ। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।
