୭୦ଲକ୍ଷ ଚାକିରୀରେ ଇଣ୍ଟରଭ୍ୟୁ ଫିକ୍ସିଂ- ଝାଡ଼ଖଣ୍ଡ ଚାକିରୀ ଦୁର୍ନୀତିର ବଡ଼ ଗୁମର
ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ ଓ ଝାଡ଼ଖଣ୍ଡ ଷ୍ଟାଫ ସିଲେକ୍ସନ କମିଟି କମ୍ୱାଇନଡ୍ ଗ୍ରାଜୁଏଟ ଲେବୁଲ ପରୀକ୍ଷାରେ ହୋଇଥିବା ଅନିୟମିତତାର ହେବ ତଦନ୍ତ। ଦାବି ପୂରଣ ପରେ ଆନ୍ଦୋଳନକାରୀ ଛାତ୍ରସମୂହ ସେଲିବ୍ରେସନ କରିଛନ୍ତି। ୨୦୧୪ରୁ ହୋଇଥିବା ସମସ୍ତ ପରୀକ୍ଷାରେ ହୋଇଥିବା ଛୋଟ ବଡ଼ ତୃଟିର ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ।ଇଣ୍ଟରଭ୍ୟୁ ବୋର୍ଡରେ ପୁରା ଚାଲିଥିଲା ଫିକ୍ସିଂ।

ରାଞ୍ଚିରେ ଗଲା ୨୪ ଦିନ ହେଲା ଚାଲିଥିବା ଛାତ୍ର ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୁଆଁଇଲେ ସୋରେନ ସରକାର। ଛାତ୍ରଙ୍କ ବ୍ୟାପକ ପ୍ରଦର୍ଶନ ଓ ଚାପ ଆଗରେ ଜେଏସଏସସି ସିଜିଏଲ ଓ ଟିଡିପିଏଲ ଜରିଆରେ ହୋଇଥିବା ସମସ୍ତ ବିବାଦୀୟ ପରୀକ୍ଷାକୁ ବାତିଲ୍ କରାଗଲା କହି ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ ଓ ଝାଡ଼ଖଣ୍ଡ ଷ୍ଟାଫ ସିଲେକ୍ସନ କମିଟି କମ୍ୱାଇନଡ୍ ଗ୍ରାଜୁଏଟ ଲେବୁଲ ପରୀକ୍ଷାରେ ହୋଇଥିବା ଅନିୟମିତତାର ହେବ ତଦନ୍ତ। ଦାବି ପୂରଣ ପରେ ଆନ୍ଦୋଳନକାରୀ ଛାତ୍ରସମୂହ ସେଲିବ୍ରେସନ କରିଛନ୍ତି। ୨୦୧୪ରୁ ହୋଇଥିବା ସମସ୍ତ ପରୀକ୍ଷାରେ ହୋଇଥିବା ଛୋଟ ବଡ଼ ତୃଟିର ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ। ଏହା ସହ ପରୀକ୍ଷାରେ ସଂସ୍କାର ଆଣିବାକୁ ଆଇଏଏସ ଅଫିସର ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଛନ୍ତି ସରକାର। ତେବେ ସିବିଆଇ ତଦନ୍ତ ନ ହେଲା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି କହିଥିବା ଆନ୍ଦୋଳନକାରୀ ଆଜି ନରମ ପଡ଼ିଛନ୍ତି। ଛାତ୍ର ନେତା ଦେବେନ୍ଦ୍ର ନାଥ ମହାତୋ ଆଜି ଅନଶନରୁ ଓହରିଛନ୍ତି। ମହାତୋ ରାଞ୍ଚିର ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମନ୍ତ୍ରୀ ଓ ବିଧାୟକ ତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କୁ ଜୁସ ପିଆଇ ତାଙ୍କର ଅନଶନ ଭାଙ୍ଗିଛନ୍ତି।ହେଲେ ସିବିଆଇ ତଦନ୍ତ ନହେଲା ଯାଏ ଜୟପାଲ ସିଂ ମୁଣ୍ଡା ଷ୍ଟାଡିଅମରେ ଆନ୍ଦୋଳନ ଜାରି ରହିବ। ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ବାସଭବନ ଘେରାଓ କରିବାକୁ ଯୋଜନା କରିଛନ୍ତି ଆନ୍ଦୋଳନକାରୀ। ତେବେ ରାହୁଲ ଗାନ୍ଧୀଙ୍କ ଗୋଟିଏ ଚିଠି ୨୪ ଦିନର ଆନ୍ଦୋଳନକୁ ସୁରୁଖୁରୁରେ ସମାପନ କଲା ବୋଲି ସବୁଠି ଚର୍ଚ୍ଚା ହୋଇଥିଲା। ରାହୁଲ ହିଁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଚିଠି ଲେଖି ଆନ୍ଦୋଳନକାରୀ ଛାତ୍ରଙ୍କୁ ଭେଟି ତାଙ୍କର ଦାବି ପୂରଣ ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଓ ଛାତ୍ରଙ୍କ ଦାବି ଯୁକ୍ତିସଙ୍ଗତ ବୋଲି କହିଥିଲେ ରାହୁଲ। କାରଣ ଶନିବାର ଆନ୍ଦୋଳନକାରୀ ଛାତ୍ର ରାହୁଲଙ୍କୁ ଅପିଲ୍ କରିଥିଲେ ଯେ, ଯେହେତୁ ଝାଡ଼ଖଣ୍ଡରେ କଂଗ୍ରେସର ମେଣ୍ଟ ସରକାର ଅଛି। ଯଦି ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣୁନାହାନ୍ତି, ତାହେଲେ ରାହୁଲ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିନିଅନ୍ତୁ। ଏପରିକି ରାହୁଲ କହିବା ସତ୍ତ୍ୱେ ବି ସୋରେନ ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି କହି ଅଙ୍ଗୁଳି ଉଠାଇଥିଲେ ଆନ୍ଦୋଳନକାରୀ। ଆନ୍ଦୋଳନର ଦିଗ ଅନ୍ୟ ଆଡ଼େ ମୁହାଁଇବା ଦେଖି ରାହୁଲ ନିଜ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ସମ୍ୱିଧାନ ଅଧିକାର ଦେଇଛି। ଆଉ ଏହା ଗଣତନ୍ତ୍ରର ମଝଭୁତ୍ ପିଲାର ଅଟେ। ସେଥିଲାଗି ପେପର ଲିକ୍ ଓ ପରୀକ୍ଷାରେ ଅନିୟମିତତାକୁ ନେଇ କଂଗ୍ରେସ ଛାତ୍ର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଉଛି। ପରୀକ୍ଷା କେଳେଙ୍କାରୀରେ ଏଯାବତ ୨୦ ଜଣଙ୍କୁ ଗିରଫ କଲାଣି ସିଆଇଡି। ଟିଡିପିଏଲର ଟପ୍ ଅଧିକାରୀଙ୍କୁ ବାନ୍ଧିସାରିଛି ସିଆଇଡି। ପ୍ରାର୍ଥୀମାନେ ଏଜେଣ୍ଟ ଓ ମିଡିଲମ୍ୟାନ୍ ଜରିଆରେ ନେଟଓ୍ୱର୍କ ସହ ସାମିଲ ହେଉଥିଲେ। ଇଣ୍ଟରଭ୍ୟୁ ବୋର୍ଡରେ ପୁରା ଚାଲିଥିଲା ଫିକ୍ସିଂ। ଚାକିରୀ ଆଶାୟୀଙ୍କୁ ଆଦିତ୍ୟ ପାଣ୍ଡେ ନାମକ ଏଜେଣ୍ଟ ଟିଡିପିଏଲ ନିର୍ଦେଶକ ରାମବୀର ସିଂଙ୍କ ସହ ଲିଂକ କରୁଥିଲା। ତା ପରେ କମିଶନ ମେମ୍ୱରଙ୍କୁ ତାଲିକା ପଠାଯାଇ ବିପୁଳ ଟଙ୍କା ନେଇ ଇଣ୍ଟରଭ୍ୟୁ ବୋର୍ଡରେ କାରସାଦି ହେଉଥିଲା। ପ୍ରତି ପ୍ରାର୍ଥୀଙ୍କ ପିଛା ୧୫ଲକ୍ଷ ଯାଏ ଚାର୍ଜ କରାଯାଉଥିଲା। ଆଉ ସିଲେକ୍ସନ ବେଳେ ଏହି ପରିମାଣ ୭୦ ଲକ୍ଷ ଟଙ୍କା ଯାଏ ଛୁଉଁଥିଲା। ଏହି ରାକେଟ ଜରିଆରେ ଚାକିରୀ ସିଲେକ୍ସନରେ ୩ ଅଧିକାରୀ ସାମିଲ ଥିଲେ। ଏସପି ରବିନ କୁମାର, ଡିଏସପି ଶୈଳେଶ ସିଂ ଓ ଡେପୁଟି ଜେଲର ରାଜେଶ ରଜାକଙ୍କ ନାଁ ତଦନ୍ତ ଅଧିକାରୀଙ୍କୁ କହିଛି ଏଜେଣ୍ଟ ଅଭୟ ତିଓ୍ୱାରୀ। ଏହି ୩ ଅଧିକାରୀ ଏହି ରାକେଟ ଜରିଆରେ ଚାକିରୀ ପାଇଛନ୍ତି। କୋଦରମାର ଲାଲୁ ଯାଦବ ନାମକ ବ୍ୟକ୍ତି ଏହି ୩ ପ୍ରାର୍ଥୀଙ୍କୁ ଆଣି ଇଣ୍ଟରଭ୍ୟୁ ବୋର୍ଡ ଯାଏ ଫିକ୍ସିଂ କରିଥିଲା। ଏହି ରାକେଟରେ ଟିଡିପିଏଲ ଓ ଜେପିଏସସି ଅଧିକାରୀଙ୍କ ସମେତ କଣ୍ଟ୍ରୋଲର ଶ୍ୱେତା ଗୁପ୍ତା, ପତଞ୍ଜଳି କୋଚିଂ ଅପରେଟର ରବି କୁମାର ବି ସାମିଲ ଅଛନ୍ତି। ଇଣ୍ଟରଭ୍ୟୁର ଦିନକ ଆଗରୁ ପ୍ରାର୍ଥୀଙ୍କ ଡିକୋଡ୍ କରାଯାଏ। କୋଡକୁ ଡିକୋଡ୍ କରୁଥିଲେ ଟିଡିପିଏଲର ନିର୍ଦେଶକ ରାମବୀର ସିଂ। ଆଉ ଇଣ୍ଟରଭ୍ୟୁ ଦିନ ପ୍ରାର୍ଥୀଙ୍କୁ ବୋର୍ଡ ଚେୟାରମ୍ୟାନ୍ ଅଜିତା ଭଟ୍ଟାଚାର୍ଯ୍ୟଙ୍କୁ ପଠାଯାଏ। ଆଉ ଇଣ୍ଟରଭ୍ୟୁରେ ଅଧିକ ମାର୍କ ଦେଇ ସିଲେକ୍ସନ କରିଦିଆଯାଏ।
