ରାଜଧାନୀରେ ଜମି କାରବାର : ଆରଆଇ ମଧ୍ୟସ୍ଥି- କିଣିଲେ ତହସିଲଦାର!
କେମିତି ରକେଟ ବେଗରେ କାରସାଦି କରି ଏ ଜମିକୁ ଆରଆଇ ଓ ତହସିଲଦାର ମିଳିମିଶି ହାତେଇବେ ତାକୁ ନେଇ ପୁରା ଫନ୍ଦି ହୋଇଥିଲା। ରୋଚକ କଥା ହେଲା, ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନ ବେଳୁ ହିଁ ଏ ଜମିକୁ କେମିତି ହାତେଇବେ ଆରଆଇଙ୍କ ଆଖି ପଡ଼ିଥିଲା।

ମଧ୍ୟସ୍ଥି ସାଜିଲେ ଆରଆଇ। ଜାଗା କିଣିଲେ ତହସିଲଦାର। ଶେଷରେ ତହସିଲଦାର ଓ ଆରଆଇ ନିଜ ସମ୍ପର୍କୀୟଙ୍କ ନାଁରେ ଜାଗା ରେଜିଷ୍ଟ୍ରେସନ କରିଦେଲେ। ଆଉ ଯେଉଁ ଜାଗା କିଣିଲେ, ତାକୁ କିଣିବାକୁ ଅଗ୍ରୀମ ୨୫ଲକ୍ଷ ଟଙ୍କା ଦେଇଥିବା ଆଇନଜୀବି ସାଜିଲେ ଜଳକା। ୮୬୬ ଡିସିମିଲ ଜାଗାକୁ ନେଇ ଏମିତି ଏକ ବଡ଼ କାରନାମା ସାମ୍ନାକୁ ଆସିଛି। ଭୁବନେଶ୍ୱରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଏ ସମ୍ପର୍କରେ ଥାନାରେ ଏତଲା ହେବା ପରେ କଥା ପଦାକୁ ଆସିଛି। କାରଣ ଜମିମାଲିକଙ୍କ ମୃତ୍ୟୁ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର ନଥିଲା। ତାକୁ କେମିତି ବାହାର କରାଯିବ, ଅଗ୍ରୀମ ୨୫ଲକ୍ଷ ଟଙ୍କା ଦେଇଥିବା ଆଇନଜୀବିଙ୍କୁ ଏ ସବୁ ଦାୟିତ୍ୱ ଦେଇଥିଲେ ଜମି ମାଲିକଙ୍କ ପତ୍ନୀ ଓ ପୁଅ। ଆଉ ମୃତ୍ୟୁ ପ୍ରମାଣପତ୍ର ବାହାର କରିବା ବି ମୁସ୍କିଲ ଥିଲା। ତଥାପି ବେଶ୍ ଧାଁ ଧଉଡ଼ କରି ମୃତ୍ୟୁ ପ୍ରମାଣପତ୍ର ବାହାରିଲା। ଉତ୍ତରାଧିକାରୀ ପ୍ରମାଣପତ୍ର ତା ପରେ ବାହାରିଲା। ଡିସେମ୍ୱର ମାସରୁ ପର୍ଯ୍ୟାୟକ୍ରମେ ଆଡ଼ଭାନ୍ସ ବାବଦ ଅର୍ଥ ଦେଇ ଚାଲିଥିଲେ ଆଇନଜୀବି। ଡିସେମ୍ୱରରେ ୫ଲକ୍ଷ ଓ ମାର୍ଚ୍ଚ ମାସରେ ୨୦ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ଜମି ମାଲିକଙ୍କ ଆକାଉଣ୍ଟକୁ। ଜମିକୁ ପ୍ରାୟ ଅଢ଼େଇ କୋଟିରେ ନେବାକୁ ଦୁଇ ପକ୍ଷ ଭିତରେ ରାଜିନାମା ବି ହୋଇଥିଲା। ଏପ୍ରିଲ ୨୪ରେ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାରିଥିଲା। ପ୍ରମାଣପତ୍ର ବାହାରିବା ପରେ ଜମି ରେଜିଷ୍ଟ୍ରେସନ ଲାଗି ଆଇନଜୀବି କହିଥିଲେ। ହେଲେ ବିଭିନ୍ନ ଆଳ ନେଇ ଏଡାଇ ଚାଲିଥିଲେ ମା ଓ ଦୁଇ ପୁଅ। ହେଲେ ଅଚାନକ ଦେଖୁ ଦେଖୁ ଏ ଜାଗାକୁ ଆଉ ୮ ଜଣଙ୍କୁ ବିକିଦେଲେ ମାଆ ପୁଅ। ତେବେ କେମିତି ରକେଟ ବେଗରେ କାରସାଦି କରି ଏ ଜମିକୁ ଆରଆଇ ଓ ତହସିଲଦାର ମିଳିମିଶି ହାତେଇବେ ତାକୁ ନେଇ ପୁରା ଫନ୍ଦି ହୋଇଥିଲା। ରୋଚକ କଥା ହେଲା, ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନ ବେଳୁ ହିଁ ଏ ଜମିକୁ କେମିତି ହାତେଇବେ ଆରଆଇଙ୍କ ଆଖି ପଡ଼ିଥିଲା। କାରଣ ଉତ୍ତରାଧିକାରୀ ପ୍ରମାଣପତ୍ର ଆରଆଇଙ୍କ ହାତରେ। ବାସ୍ ଏଇଠୁ ହି ଖେଳ ଆରମ୍ଭ କଲେ ଆରଆଇ ମହାଶୟ। କେମିତି ଏ ଜମିକୁ ହାତେଇବେ, ପୁରା ଦମରେ ଲାଗିପଡ଼ିଲେ। ବେଶୀ ଟଙ୍କା ପଡ଼ୁ ପଛେ, ହାତେଇବାକୁ କାରସାଦି କଲେ। ଆଉ ସାଙ୍ଗରେ ପୂର୍ବତନ ତହସିଲଦାରଙ୍କୁ ମିଶାଇଲେ। କଥା ଏତିକିରେ ସରିନି। ଭୁବନେଶ୍ୱରରେ ପଟ୍ଟା ପାଇବାକୁ ଲୋକଙ୍କୁ ମାସେ ମାସେ ଲାଗୁଥିଲା ବେଳେ ଏମାନଙ୍କ ପଟ୍ଟା ୭ଦିନ ଭିତରେ ଇସ୍ୟୁ ବି ହୋଇଗଲା। ସେଥିଲାଗି ସାବଧାନ। ଜମି ପାଇଁ ଅଗ୍ରୀମ ଦେଉଥିଲେ ବେଳୁ ହିଁ ସତର୍କତା ଅବଲମ୍ୱନ ଜରୁରୀ। ତେବେ ଯେଉଁମାନେ ଜମି କିଣିଛନ୍ତି, ସେମାନଙ୍କ ଜ୍ଞାତସାରରେ ଏହା ହୋଇନଥାଇପାରେ। ଜମିମାଲିକ ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେବା ବାବଦରେ ସେମାନେ ହୁଏତ ଅନ୍ଧାରରେ ଥାଇପାରନ୍ତି। ହେଲେ ଯେହେତୁ ଆରଆଇ ନିଜ ସମ୍ପର୍କୀୟଙ୍କ ନାଁରେ ଏ ଜାଗାକୁ ପଞ୍ଜୀକରଣ କରିବା ସହ ପୂର୍ବତନ ତହସିଲଦାରଙ୍କୁ ବି ସାଙ୍ଗରେ ମିଶାଇଲେ। ଏଥିରୁ ଜଳଜଳ କରି ଦିଶୁଛି, ଜାଗା ହାତେଇବାକୁ ରାଜସ୍ୱ ଅଧିକାରୀ କେଉଁସ୍ତରକୁ ଯାଇପାରନ୍ତି।
