ଏକମାସ ପରେ ଚମ୍ପୁଆ ରେଞ୍ଜକୁ ଫେରିଲେ ୨୫ ଟିକିଆ ହାତୀପଲ
ଦୀର୍ଘ ଏକମାସର ବ୍ୟବଧାନ ପରେ ପୁଣିଥରେ ଚମ୍ପୁଆ ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ ହାତୀପଲ ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ ପଦ୍ମପୁର ଗାଁ ଦେଇ ଝାଲିଆବେଡା ଜଙ୍ଗଲକୁ ଯାଉଥିବା ଦେଖିବାକୁ ମିଳିଛି।
ଚମ୍ପୁଆ: ଚମ୍ପୁଆ ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ। ଦୀର୍ଘ ଏକମାସର ବ୍ୟବଧାନ ପରେ ପୁଣିଥରେ ଚମ୍ପୁଆ ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ। ଗତରାତିରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ ହାତୀପଲ ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ ପଦ୍ମପୁର ଗାଁ ଦେଇ ଗୁରୁବାର ସକାଳେ ଝାଲିଆବେଡା ଜଙ୍ଗଲକୁ ଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏକମାସ ପୂର୍ବରୁ ଏହି ହାତୀପଲ ପାଟଣା ରେଞ୍ଜ ଦେଇ ମୟୁରଭଞ୍ଜ ଅଞ୍ଚଳକୁ ଚାଲିଯାଇଥିଲେ। ଅନ୍ୟପଟେ, ଚମ୍ପୁଆ ରେଞ୍ଜର ଚମ୍ପୁଆ ସେକ୍ସନରେ ଥିବା ୩ଟି ଏବଂ ଉଖୁଣ୍ଡା ସେକ୍ସନରେ ଥିବା ୫ଟି ହାତୀ ଗତରାତି ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲାକୁ ଚାଲିଯାଇଥିବା ଜଣାପଡ଼ିଛି। ଫଳରେ ଦୁଇ ଜିଲ୍ଲା ମଧ୍ୟରେ ହାତୀମାନଙ୍କ ଚଳପ୍ରଚଳ ଜାରି ରହିଛି। ଚମ୍ପୁଆ ରେଞ୍ଜକୁ ଫେରିଥିବା ଏହି ହାତୀପଲ ପୂର୍ବରୁ ଅଞ୍ଚଳରେ ବ୍ୟାପକ ଫସଲ ଓ ସମ୍ପତ୍ତି କ୍ଷୟକ୍ଷତି କରିଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ପୁଣିଥରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ଲୋକେ ସତର୍କ ରହିବା ସହ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଥିବା ସୂଚନା ମିଳିଛି।
