ଗୋଚର ଜମିରେ ଚର୍ଚ୍ଚ ନିର୍ମାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ
ଭଦ୍ରକ: ଗୋଚର ଜମିରେ ଚର୍ଚ୍ଚ ନିର୍ମାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ। ବନ୍ତ ତହସିଲ ଅଞ୍ଚଳରେ ଏକ ସରକାରୀ ଜମି ବିବାଦକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଭଦ୍ରକ: ଗୋଚର ଜମିରେ ଚର୍ଚ୍ଚ ନିର୍ମାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ। ବନ୍ତ ତହସିଲ ଅଞ୍ଚଳରେ ଏକ ସରକାରୀ ଜମି ବିବାଦକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବନ୍ତ ତହସିଲ ଅନ୍ତର୍ଗତ ନିଳୋକ ପଞ୍ଚାୟତ ଦୋଳପଦୀ ମୌଜାରେ ଥିବା ସରକାରୀ ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଏକ ବେଆଇନ ଚର୍ଚ୍ଚ ନିର୍ମାଣ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ସରକାରୀ ରେକର୍ଡ ମୁତାବକ ଖାତା ନମ୍ବର ୧୦୮ ଏବଂ ପ୍ଲଟ୍ ନମ୍ବର ୫୭୯ ବିଶିଷ୍ଟ ଏହି ମୂଲ୍ୟବାନ ଜମିକୁ ସ୍ଥାନୀୟ ସୁନିଆ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅବୈଧ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ଉକ୍ତ ସ୍ଥାନରେ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ବେଆଇନ ନିର୍ମାଣ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବ ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ସ୍ଥାନଟି ଦୀର୍ଘ ଦିନ ଧରି ଗ୍ରାମର ଗୋମାତା ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଏକମାତ୍ର ଚରାଭୂମି ଭାବେ ବ୍ୟବହୃତ ହୋଇଆସୁଥିଲା। ଏଠାରେ ଚର୍ଚ୍ଚ ଗଢ଼ିଉଠିବା ଫଳରେ ଗୋ-ଚାରଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବନ୍ତ ହିନ୍ଦୁ ଜାଗରଣ ମଞ୍ଚ, ବିଶ୍ୱ ହିନ୍ଦୁ ପରିଷଦ, ଗ୍ରାମ୍ୟ ଭାଗବତ ଟୁଙ୍ଗି ଏବଂ ଗୋରକ୍ଷା ସମିତି ସମେତ ଶତାଧିକ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନ୍ତ ତହସିଲଦାର, ବିଡ଼ିଓ ଏବଂ ବନ୍ତ ଥାନା ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ପାଇବା ପରେ ବନ୍ତ ପୋଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ ସହ ତଦନ୍ତ ଆରମ୍ଭ କରିଛି l
