UN General Assembly : ଜାତିସଂଘରେ ପାକିସ୍ତାନକୁ ଘେରିଲା ଭାରତ
ଜାତିସଂଘରେ ଭାରତକୁ ଟାର୍ଗେଟ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି ! ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଅନାବଶ୍ୟକ ଭାବେ ଉଠାଇବା ପରେ ଭାରତ ଦେଇଛି ମୁହାଁମୁହିଁ ଜବାବ | ଜାତିସଂଘ ମଞ୍ଚରେ ରାୱଲକୋଟ୍ ହିଂସା ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଆତଙ୍କବାଦର ଗଡ଼ ବୋଲି ଆଖ୍ୟା ଦେଲେ ଭାରତୀୟ କୂଟନୀତିଜ୍ଞ |
ଜାତିସଂଘ ସାଧାରଣ ସଭା (UNGA) ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଜମ୍ମୁ-କାଶ୍ମୀର ଏବଂ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ କରିଥିଲେ | ଭାରତ ନିଜର 'ଜବାବ ଦେବାର ଅଧିକାର' ର ବ୍ୟବହାର କରି ଏହାର କଡ଼ା ପ୍ରତିବାଦ କରିଛି। ଭାରତର କୂଟନୀତିଜ୍ଞ ପେଟଲ ଗେହଲୋଟ୍ ଜାତିସଂଘରେ ଶେହବାଜ୍ ଶରିଫ୍ଙ୍କ ବକ୍ତବ୍ୟକୁ ସମ୍ପୂର୍ଣ୍ଣ 'ହାସ୍ୟାସ୍ପଦ ଓ ମିଥ୍ୟା' ବୋଲି ଅଭିହିତ କରିବା ସହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ସଦାସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। ଏହାସହ ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ। ପାକ୍-ଅଧିକୃତ କାଶ୍ମୀର (PoK) ର ରାୱଲକୋଟ୍ରେ ପାକିସ୍ତାନ ସରକାର ଦ୍ୱାରା ଚାଲିଥିବା ନିର୍ଦ୍ଦୟ ନିର୍ଯାତନା ଓ ମାନବାଧିକାର ଉଲ୍ଲଂଘନକୁ କଡା ନିନ୍ଦା କରିଛନ୍ତି ଭାରତର କୂଟନୀତିଜ୍ଞ | ଖାଲି ସେତିକି ନୁହଁ , ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନ୍ ପାକିସ୍ତାନର ସେନା ଏକାଡେମୀ ନିକଟରେ ଲୁଚିରହିବା କଥାକୁ ଜାତିସଂଘ ମଞ୍ଚରେ ମନେପକାଇ ଦେଇଛି ଭାରତ |
ଭାରତୀୟ ପ୍ରତିନିଧି ପାକିସ୍ତାନର ଦୋମୁହାଁ ନୀତିକୁ ପର୍ଦ୍ଦାଫାସ କରି କହିଛନ୍ତି ଯେ, "ଏହି ଦେଶ ଦିନରେ ନିଜକୁ ସୁରକ୍ଷାର ସମର୍ଥକ ବୋଲି ଦାବି କରେ ଏବଂ ରାତିରେ ସୀମାପାର ଆତଙ୍କବାଦ ଚଲାଏ"। ନିଜ ଦେଶରେ କଠୋର ଇଶ୍ୱରନିନ୍ଦା ଆଇନ୍ ବ୍ୟବହାର କରି ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ଦେଉଥିବା ପାକିସ୍ତାନର ଧାର୍ମିକ ସହିଷ୍ଣୁତା ବକ୍ତବ୍ୟକୁ ଏକ ବଡ଼ ପ୍ରହସନ ବୋଲି କହିବା ସହ ଆତଙ୍କବାଦର ଭୟାନକ ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି ଭାରତ |
