ଦୁଇ ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ମରଣାତ୍ମକ ଆକ୍ରମଣ
ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମଧୁ ଗଢିଯଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ଗୁଣ୍ଡାରାଜ। ଖବର ସଂଗ୍ରହ କରି ଫେରୁଥିବା ସମୟରେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରିଛନ୍ତି।
ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମଧୁ ଗଢିଯଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ଗୁଣ୍ଡାରାଜ। ଖବର ସଂଗ୍ରହ କରି ଫେରୁଥିବା ସମୟରେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଲେ କଳିଙ୍ଗ ଟିଭିର ରିପୋର୍ଟର ଲକ୍ଷ୍ମଣ ଦାସ ଏବଂ ନ୍ୟୁଜ୍ ୭ର କ୍ୟାମେରାମ୍ୟାନ୍ ସଞ୍ଜୟ କୁମାର ବେହେରା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ସାମ୍ବାଦିକ ଲକ୍ଷ୍ମଣ ଓ କ୍ୟାମେରାମ୍ୟାନ୍ ସଞ୍ଜୟ ନରେନ୍ଦ୍ରପୁର ଅଞ୍ଚଳରୁ ଏକ ଖବର ସଂଗ୍ରହ କରି ବାଇକ୍ରେ ଫେରୁଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ କିଛି ଦୁର୍ବୃତ୍ତ ଏକ କାର୍ ଏବଂ ବାଇକ୍ରେ ଆସି ମଧୁ ଗଢିଯଙ୍ଗ ନିକଟରେ ସେମାନଙ୍କ ରାସ୍ତା ଓ ଗାଳିଥିଲେ। କିଛି ବୁଝିବା ସୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଲହୁଲୁହାଣ କରି ପକାଇଥିଲେ। ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ତୁରନ୍ତ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ସେମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣରେ ଲକ୍ଷ୍ମଣଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସଞ୍ଜୟଙ୍କ ହାତ ମଧ୍ୟ ଗୁରୁତର ଭାବେ ଆହତ ହୋଇଛି। ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଜଣାପଡ଼ିଛି। ସାମ୍ବାଦିକ ଲକ୍ଷ୍ମଣ ଦାସଙ୍କ ମା' ଏହି ବର୍ବରୋଚିତ ଆକ୍ରମଣ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପ୍ରହରରେ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ସାମ୍ବାଦିକ ସଙ୍ଗଠନ ଦାବି କରିଛନ୍ତି। ନିଶ୍ଚିନ୍ତକୋଇଲି ପୋଲିସ ଏକ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।
