ଥାର୍ଡ ଡିଗ୍ରୀ ଅଭିଯୋଗରେ ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ
କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ । ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇ ନିର୍ଯାତନା କରିବା ଅଭିଯୋଗ ଦୁଇ ଅବକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ । ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇ ନିର୍ଯାତନା କରିବା ଅଭିଯୋଗ ଦୁଇ ଅବକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ଅବକାରୀ ଏସଆଇ ଛାୟାକାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ। ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଅବକାରୀ କମିଶନର ଉଭୟଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ମେ ୨୮ ତାରିଖରେ ରାଜନଗର ଥାନା ଅନ୍ତର୍ଗତ ବରାଦିଆ ଗାଁରେ ଚୋରାମଦ ବିକ୍ରି ନେଇ ବିନୋଦ କୁମାର ଦାସ ନାମକ ଜଣେ ଯୁବକ ଅବକାରୀ ବିଭାଗକୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିବାକୁ ଯାଇଥିଲେ। ଚଢ଼ାଉ ସମୟରେ ବିନୋଦ ଘଟଣାର ଫଟୋ ଉଠାଉଥିବା ବେଳେ ତାଙ୍କୁ ଅବକାରୀ କର୍ମଚାରୀମାନେ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ବିଭାଗୀୟ ତଦନ୍ତ ରିପୋର୍ଟ ଆଧାରରେ ଏସଆଇ ଓ ଏଏସଆଇଙ୍କୁ ନିଲମ୍ବନ କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଉଭୟ ଅଧିକାରୀଙ୍କ ବଦଳି ମଧ୍ୟ କରାଯାଇଥିବା ଜଣାପଡ଼ିଛି।
