ଫିଫା ବିଶ୍ୱକପରେ ସାମଗ୍ରୀ ଓ ଟ୍ରଫି ଚୋରିର ଏପିସୋଡ୍ ଓ ଇତିହାସ
ଇଂଲଣ୍ଡ ଫୁଟବଲ ଟିମର ସାମଗ୍ରୀ ଚୋରୀର ଆସିଛି ଅଭିଯୋଗ। ଶୁକ୍ରବାର ଏ କଥା ଘଟିଛି। ତମାମ ସୁରକ୍ଷା ସତ୍ତ୍ୱେ ଟ୍ରଫି ଚୋରିର ଅଭିଯୋଗ ବି ଦୁଇ ଥର ଆସିଥିଲା। ପ୍ରଥମ ଥର ୧୯୬୬ରେ ଇଂଲଣ୍ଡରେ ଟ୍ରଫି ଚୋରି ହୋଇଥିଲା।

ଫିଫା ବିଶ୍ୱକପରେ ଚୋରୀ। ଇଂଲଣ୍ଡ ଫୁଟବଲ ଟିମର ସାମଗ୍ରୀ ଚୋରୀର ଆସିଛି ଅଭିଯୋଗ। ଶୁକ୍ରବାର ଏ କଥା ଘଟିଛି। ଟିମର ସାମଗ୍ରୀ ଫ୍ଲୋରିଡାରେ ହେଉଥିବା ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରୁ ଆମେରିକାର କୈଁସାସ ସିଟି ସ୍ଥିତ ସ୍ୱୋପସାକର ଭିଲେଜକୁ ନିଆଯାଉଥିଲା। ସିଟିରେ ପହଞ୍ଚିବା ପରେ ଟିମର ସାମାନ ଗାଡ଼ିରୁ ଗାଏବ ଥିବା ଦେଖିବାକୁ ମିଳିଥିଲା। ବ୍ରିଟିଶ ମିଡିଆର ଖବର ଅନୁସାରେ, ଚୋରୀ ସାମଗ୍ରୀରେ ଫୁଟବଲ ଓ ଖେଳାଳୀଙ୍କ ଜୋତା ରହିଛି। ପୁଲିସ ଏ ଘଟଣାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି। ମାମଲାର ଯାଞ୍ଚ ଚାଲିଛି। ସ୍ୱୋପ ସାକର ଭିଲେଜ ସିଟିସ୍ଥିତ ଏକ ଫୁଟବଲ ଟ୍ରେନିଂ ସେଣ୍ଟର ଅଟେ। ଇଂଲଣ୍ଡ ଟିମ୍ ବିଶ୍ୱକପ ୨୦୨୬ ଅବସରରେ ଏହାକୁ ନିଜର ବେସ୍ କ୍ୟାମ୍ପ ଓ ଟ୍ରେନିଂ ଭେନ୍ୟୁ ଭାବେ ବାଛିଛି। ଗ୍ରୁପ-ଏଲ ରେ ଇଂଲଣ୍ଡ ଟିମ୍ ଅଛି। ଏହି ଗ୍ରୁପରେ ଇଂଲଣ୍ଡ ସହ କ୍ରୋଏସିଆ, ଘାନା ଓ ପାନାମା ଟିମ୍ ରହିଛି। ଭାରତୀୟ ସମୟ ଅନୁସାରେ ଇଂଲଣ୍ଡ ଟିମ୍ ଜୁନ୍ ୧୮ରେ କ୍ରୋଏସିଆ ବିରୁଦ୍ଧରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଥମାସ ଟଚଲଙ୍କ କୋଚିଂରେ ଇଂଲଣ୍ଡ ଟିମ୍ ନୂଆ ଲୁକରେ ନଜର ଆସିବ। ୨୬ ସଦସ୍ୟ ବିଶିଷ୍ଟ ଟିମ୍ ରେ ଅନେକ ନୂଆ ଚେହେରାକୁ ଜାଗା ମିଳିଛି। ଟିମର ୯ ଖେଳାଳୀ ପ୍ରଥମ ଥର ଇଣ୍ଟରନାସନାଲ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତମାମ ସୁରକ୍ଷା ସତ୍ତ୍ୱେ ଟ୍ରଫି ଚୋରିର ଅଭିଯୋଗ ବି ଦୁଇ ଥର ଆସିଥିଲା। ପ୍ରଥମ ଥର ୧୯୬୬ରେ ଇଂଲଣ୍ଡରେ ଟ୍ରଫି ଚୋରି ହୋଇଥିଲା। ମାର୍ଚ୍ଚ ୨୦, ୧୯୬୬ କଥା। ଓ୍ୱଷ୍ଟମିଂଷ୍ଟରସ୍ଥିତ ମେଥୋଡିଷ୍ଟ ସେଣ୍ଟ୍ରାଲ ହଲରେ ଦୁର୍ଲ୍ଲଭ ଷ୍ଟାମ୍ପସର ପ୍ରଦର୍ଶନ ଚାଲିଥିଲା। ଏହି ପ୍ରଦର୍ଶନୀରେ ଗୋଟିଏ ସେକ୍ସନରେ ଜୁଲ୍ସ ରିମେଟ ଟ୍ରଫି ରଖାଯାଇଥିଲା। ୩୦ଲକ୍ଷ ପାଉଣ୍ଡରୁ ଅଧିକ ଦୁର୍ଲ୍ଲଭ ଷ୍ଟାମ୍ପ୍ସ ବି ଥିଲା। ଚୋର ୩୦ହଜାର ପାଉଣ୍ଡର ଜୁଲ୍ସ ରିମେଟ ଟ୍ରଫି ଚୋରି କରିନେଲା। ତଦନ୍ତ ଏଜେନ୍ସି ପୁରା ତାକତ ଲଗାଇବା ସତ୍ତ୍ୱେ ଟ୍ରଫି ଖୋଜି ପାଇଲାନି। ପରେ ଏକ ଫୋନବୁଥରେ ଟ୍ରଫିକୁ ଠାବ ହୋଇଥିଲା। ୧୯୮୩ରେ ଦ୍ୱିତୀୟ ଥର ଟ୍ରଫି ଚୋରୀ ହୋଇଥିଲା। ଏହା ପରଠୁ ଅରିଜିନାଲ ଟ୍ରଫି କେବେ ମିଳିନି। ଘଟଣା ଏମିତି। ୧୯୭୦ରେ ଫୁଟବଲ ବିଶ୍ୱକପ୍ ରେ ବ୍ରାଜିଲ ତୃତୀୟ ଥର ବିଶ୍ୱକପ୍ ଜିତିଥିଲା। ପୂର୍ବରୁ ଧାର୍ଯ୍ୟ ନିୟମ ଅନୁସାରେ, ୩ଥର ବିଶ୍ୱକପ୍ ବିଜୟୀ ବ୍ରାଜିଲକୁ ସବୁଦିନ ଲାଗି ଟ୍ରଫି ଦିଆଯିବ। ଟ୍ରଫିକୁ ବ୍ରାଜିଲର ରିୟୋ ଡି ଜେନେରିଆର ବ୍ରାଜିଲ ଫୁଟବଲ ଫେଡେରେସନ ମୁଖ୍ୟାଳୟରେ ରଖାଗଲା। ହେଲେ ୧୯୮୩ରେ ଏହା ଚୋରୀ ହୋଇଗଲା।
