ଗୋଲ କରି ସେଲିବ୍ରେସନ ବଦଳରେ ପ୍ରତିପକ୍ଷ ଟିମକୁ ଭୁଲ ମାଗିଲେ..
ଗୋଲ କରି ସେଲିବ୍ରେସନ କଲେନି- ପ୍ରତିପକ୍ଷ ଟିମକୁ କ୍ଷମା ମାଗିଲେ!ଆଶ୍ଚର୍ଯ୍ୟ ହେଲେ ବି ସତ। ସ୍ୱିଡେନ୍ ଓ ଟ୍ୟୁନିସିଆ ଭିତରେ ଲଢ଼େଇରେ ବେଶ୍ ଚର୍ଚ୍ଚାରେ ଏବେ ୟାସିନ ଅୟାରୀ।

ଫୁଟବଲ ଖେଳାଳୀଙ୍କ ଜୀବନର ସବୁଠୁ ଖୁସି ଓ ଉତ୍ସାହର ମୂହୂର୍ତ୍ତ ଗୋଲ କଲାବେଳେ ଥାଏ। ଫିଫା ବିଶ୍ୱକପରେ ଗୋଲ୍ କଲେ ଯେଉଁ ଉତ୍ସାହ ଓ ଖୁସି ଥାଏ, ତାହାତ ଅଭୂତପୂର୍ବ। ହଲେ ଚଳିତ ବିଶ୍ୱକପରେ ଗୋଲ କରିବା ପରେ ବି କୌଣସି ସେଲିବ୍ରେସନ କଲେନି ଜଣେ ଖେଳାଳୀ। ଆଶ୍ଚର୍ଯ୍ୟ ହେଲେ ବି ସତ। ସ୍ୱିଡେନ୍ ଓ ଟ୍ୟୁନିସିଆ ଭିତରେ ଲଢ଼େଇରେ ବେଶ୍ ଚର୍ଚ୍ଚାରେ ଏବେ ୟାସିନ ଅୟାରୀ। ୟାସିନ ଏହି ମ୍ୟାଚରେ ଦୁଇଟି ଗୋଲ୍ କଲେ। ଆଉ ଟିମକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ବି ନେଲେ। ହେଲେ ଗୋଲ ପରେ ସ୍ୱାଭାବିକ ରହିଲେ। କାରଣ ହେଲା ଯେଉଁ ଟିମ୍ ବିରୁଦ୍ଧରେ ଗୋଲ କଲେ, ସେ ହେଉଛି ତାଙ୍କ ପୈତୃକ ଦେଶ। ଏହି ମ୍ୟାଚରେ ଟ୍ୟୁନିସିଆକୁ ୫-୧ ଗୋଲରେ ହରାଇ ନିଜ ଓପନିଂ ଅଭିଯାନ ଦମଦାର ପ୍ରଦର୍ଶନ ଜରିଆରେ ଆରମ୍ଭ କରିଥିଲା ସ୍ୱିଡେନ୍। ଜୁନ୍ ୧୫ରେ ଗ୍ୱାଡାଲୁପର ଏଷ୍ଟାଡିୟୋ ବିବିବିଏରେ ଆୟୋଜିତ ଏହି ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଲେ ମିଡ୍ ଫିଲଡର ୟାସିନ ଅୟାରୀ। ଗୋଲ ଦେବା ପରେ ତାଙ୍କ ରିଆକ୍ସନକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା। ଗୋଲ୍ କରିବା ପରେ ସେଲିବ୍ରେସନ ତ କଲେନି। ପାଲଟା ଟ୍ୟୁନିସିଆର ପ୍ରଶଂସକଙ୍କଠୁ କ୍ଷମା ମାଗି ଦୁଇ ହାତ ଉପରକୁ ଉଠାଇଥିଲେ। ୨୨ ବର୍ଷୀୟ ୟାସିନ୍ ମ୍ୟାଚର ୭ ମିନିଟରେ ୨୦ଗଜ ଦୂରରୁ ଶାନଦାର ସଟ୍ ଲଗାଇ ସ୍ୱିଡେନକୁ ଗୋଲ ସ୍କୋରରେ ଆଗରେ ରଖିଥିଲେ। ୟାସିନଙ୍କ ଜନ୍ମ ସ୍ୱିଡେନରେ ହୋଇଥିଲା। କିନ୍ତୁ ତାଙ୍କ ବାପା ଟ୍ୟୁନିସିଆର ଓ ମାଆ ମରକ୍କୋର। ଏମିତିରେ ଟ୍ୟୁନିସିଆ ସହ ତାଙ୍କର ଗଭୀର ସମ୍ପର୍କ ଓ ପାରିବାରିକ ସମ୍ପର୍କ ଅଛି। ଏପରିକି ୟାସିନଙ୍କ ପାଖରେ ଟ୍ୟୁନିସିଆ ପକ୍ଷରୁ ଖେଳିବାକୁ ମଉକା ବି ଥିଲା। ୨୦୨୧ରେ ଟ୍ୟୁନିସିୟା ଫୁଟବଲ ମହାସଂଘ ତାଙ୍କୁ ୨୦୨୨ ବିଶ୍ୱକପ ପୂର୍ବରୁ ଟିମରେ ସାମିଲ ନେଇ ପ୍ରସ୍ତାବ ଦେଇଥିଲା। ହେଲେ ୟାସିନ ଓ ତାଙ୍କ ପିତା ଅଜୌଜ ଅୟାରୀ ସ୍ୱିଡେନକୁ ହିଁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ସ୍ୱିଡେନରେ ସେ ଜନ୍ମ ଓ ବଢ଼ିଛନ୍ତି। ସେଥିଲାଗି ଦେଶକୁ କିଛି ଫେରାଇବା ପୁଅର କର୍ତ୍ତବ୍ୟ ବୋଲି କହିଥିଲେ ବାପା ଅଜୌଜ। ସବୁଠୁ ରୋଚକ କଥା। ଏହି ମ୍ୟାଚ ପୂର୍ବରୁ ଟ୍ୟୁନିସିଆର କୋଚ୍ ସାବରି ଲାମୁସି ବି ୟାସିନଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ।
