ଶର୍ମିଲାଙ୍କୁ ଐତିହାସିକ ସ୍ୱର୍ଣ୍ଣ
ଶର୍ମିଲାଙ୍କୁ ଐତିହାସିକ ସ୍ୱର୍ଣ୍ଣ। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ। ମହିଳା ସଟ୍ ପୁଟରେ ସ୍ୱର୍ଣ୍ଣ ଜିତିଲେ ପାରା ଆଥଲେଟ୍ ଶର୍ମିଲା ଧନକଡ଼। ପ୍ରଥମ ଭାରତୀୟ ମହିଳା ପାରା ଆଥଲେଟ୍ ଭାବେ CWGରେ ଜିତିଲେ ସ୍ୱର୍ଣ୍ଣ। ୯.୮୧ ମିଟର ଫିଙ୍ଗି ଭାରତ ପାଇଁ ସଫଳତା ଆଣିଲେ ଶର୍ମିଲା। ୨୦ ବର୍ଷ ପରେ ପାରା ଆଥଲେଟ୍ ଭାବେ ଭାରତ ପାଇଁ ଜିତିଲେ ପଦକ।
ଗ୍ଲାସଗୋ: କମନୱେଲ୍ଥ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ୨୦୨୬ କମନୱେଲ୍ଥ ଗେମ୍ସରେ ଇତିହାସ ରଚିଲେ ଭାରତୀୟ ପାରା ଆଥଲେଟ୍ ଶର୍ମିଲା ଧନଖଡ଼ । ମହିଳା ଶଟ୍ ପୁଟ୍ F57 ବର୍ଗର ଫାଇନାଲରେ ୯.୮୧ ମିଟରର ସିଜନ୍ର ସର୍ବଶ୍ରେଷ୍ଠ ଥ୍ରୋ କରି ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶର୍ମିଲାଙ୍କ ଏହି ବିଜୟ ସହ କମନୱେଲ୍ଥ ଗେମ୍ସରେ ପାରା ଆଥଲେଟିକ୍ସରେ ଭାରତର ୨୦ ବର୍ଷର ପଦକ ଅପେକ୍ଷାର ଅନ୍ତ ଘଟିଛି। ସେ କମନୱେଲ୍ଥ ଗେମ୍ସରେ ପାରା ଆଥଲେଟିକ୍ସରେ ସୁନା ଜିତିବାରେ ପ୍ରଥମ ଭାରତୀୟ ଏବଂ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ସ୍କଟସ୍ଟାଉନ୍ ଷ୍ଟାଡିୟମରେ ଆୟୋଜିତ ଫାଇନାଲରେ ଶର୍ମିଲା ପ୍ରଥମ ପ୍ରୟାସରେ ୯.୪୮ ମିଟର ଥ୍ରୋ କରି ଅଗ୍ରଣୀ ହୋଇଥିଲେ। ପରେ ଦ୍ୱିତୀୟ ପ୍ରୟାସରେ ୯.୮୧ ମିଟର ଥ୍ରୋ କରି ନିଜ ସିଜନ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କ ଏହି ଦୂରତାକୁ ଅନ୍ୟ କୌଣସି ପ୍ରତିଯୋଗୀ ଅତିକ୍ରମ କରିପାରିନଥିଲେ।
ଏହି ପ୍ରତିଯୋଗିତାରେ ଶର୍ମିଲା ଙ୍କ ସହ ଭାରତର ଶିଲ୍ପା କେ. ଶାୟଲା ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଆଉ ଏକ ସଫଳତା ଆଣିଛନ୍ତି। ଏହାଛଡ଼ା ପୁରୁଷ ହାଇଜମ୍ପରେ ରୌପ୍ୟ ଜିତି ଇତିହାସ ରଚିଲେ ଶରବେଶ କୁଶାରେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହାଇଜମ୍ପରେ ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ। ସେହିପରି ପୁରୁଷ ୭୯ କେଜି ଭାରୋତ୍ତୋଳନରେ ବଲ୍ଲୁରି ଅଜୟ ବାବୁ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ଭାରୋତ୍ତୋଳନରେ ଜ୍ଞାନେଶ୍ୱରୀ ଯାଦବ ମହିଳା ୫୩ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବା ବେଳେ, ବିନ୍ଦ୍ୟାରାଣୀ ଦେବୀ ମହିଳା ୫୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏପର୍ଯ୍ୟନ୍ତ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତର ମୋଟ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୨ ସୁନା, ୫ ରୌପ୍ୟ, ୩ ବ୍ରୋଞ୍ଜ ପଦକ ରହିଛି ।
