ଟେଷ୍ଟରେ ସରପ୍ରାଇଜ ଏଣ୍ଟ୍ରି- ସାରାଂଶ
ଆଜିକା ଦିନରେ ଅନେକ ଖେଳାଳୀ ଆଇପିଏଲ ଜରିଆରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। କିନ୍ତୁ ସାରାଂଶ ଅଲଗା ବାଟ ବାଛିଲେ। ସେ ରଣଜୀ ଟ୍ରଫି, ଦଲୀପ ଟ୍ରଫି, ଇରାନୀ ଟ୍ରଫି ଓ ଇଣ୍ଡିଆ ଏ ପାଇଁ ଲଗାତାର ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ମଧ୍ୟପ୍ରଦେଶର ଇନ୍ଦୋରର ଅଲରାଉଣ୍ଡର ସାରାଂଶ ଜୈନ। ଯାହାଙ୍କୁ ପ୍ରଥମ ଥର ଟେଷ୍ଟ ଟିମରେ ମିଳିଛି ମଉକା। ତା ପୁଣି ସରପ୍ରାଇଜ ଏଣ୍ଟ୍ରି। ୩୩ ବର୍ଷୀୟ ସାରାଂଶଙ୍କ ସଂଘର୍ଷର କାହାଣୀ ଯିଏ ଶୁଣିବ, ଭାବୁକ ହୋଇଯିବ। ଯେତେବେଳେ ତାଙ୍କ ବାପା କ୍ୟାନସର ଭଳି ଗମ୍ଭୀର ବେମାରରେ ପୀଡ଼ିତ ଥିଲେ। ସେତେବେଳେ ସାରାଂଶଙ୍କଠୁ ଏ କଥା ଲୁଚାଯାଇଥିଲା। ବାପାଙ୍କ ଦେହ ଖବର ପାଇଲେ କାଳେ କ୍ରିକେଟରୁ ତାଙ୍କ ଧ୍ୟାନ ହଟିଯିବ। ଏହା ଭାବି ପରିବାର ଲୋକେ ତାଙ୍କୁ ଲୁଚାଇଥିଲେ। ଆଉ ୧୨ ବର୍ଷ ପରେ ତାଙ୍କ ସଂଘର୍ଷର ପରିଣାମ ଏବେ ମିଳିଲା। ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଏହି ସ୍ପିନ୍ ବୋଲର ତଥା ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଟିମରେ ଜାଗା ମିଳିଛି। ସେ ଚୋଟିଲ ଓ୍ୱାସିଂଟନଙ୍କ ଜାଗାରେ ଟିମରେ ସାମିଲ ହେଲେ। ଆଉ ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଣ୍ଟରନାସନାଲ ଡେବ୍ୟୁ କରିବାର ସ୍ୱପ୍ନକୁ ସାକାର କରିବେ। ୨୦୧୪ରେ ମଧ୍ୟପ୍ରଦେଶର ଏକ କ୍ଲବ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ସେତିକିବେଳେ ତାଙ୍କ ବାପାଙ୍କୁ କ୍ୟାନସର ହୋଇଥିଲା ଓ ତାଙ୍କ ଚେହେରାରେ ସର୍ଜରୀ ହୋଇଥିଲା। କିନ୍ତୁ ପରିବାର ଲୋକେ ସାରାଂଶଙ୍କୁ ଏ ବାବଦରେ ବିଲକୁଲ ଜଣାଇଲେନି। ଆଉ ଅଷ୍ଟ୍ରେଲିଆରୁ ଫେରିବା ପରେ ଯାଇ ସବୁ କଥା ଜାଣିଲେ ସାରାଂଶ। ଆଉ ତାଙ୍କ ହାତକୁ ଏକ ଚିଠି ଦେଇଥିଲେ ବାପା। ଲେଖିଥିଲେ, ସେ ଯେତେ ଭଲ ଖେଳିବେ, ସେ ସେତେଶୀଘ୍ର ଭଲ ହୋଇଯିବେ। ତାଙ୍କ ବାପା ଅଫ୍ ସ୍ପିନର ସୁବୋଧ ଜୈନ ୯ଟି ରଣଜୀ ଟ୍ରଫି ମ୍ୟାଚରେ ୨୩ ଓ୍ୱିକେଟ ନେଇଥିଲେ। ସେ ହିଁ ସାରାଂଶଙ୍କ କୋଚ୍ ଅଟନ୍ତି। ଆଜିକା ଦିନରେ ଅନେକ ଖେଳାଳୀ ଆଇପିଏଲ ଜରିଆରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। କିନ୍ତୁ ସାରାଂଶ ଅଲଗା ବାଟ ବାଛିଲେ। ସେ ରଣଜୀ ଟ୍ରଫି, ଦଲୀପ ଟ୍ରଫି, ଇରାନୀ ଟ୍ରଫି ଓ ଇଣ୍ଡିଆ ଏ ପାଇଁ ଲଗାତାର ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବାମହାତରେ ବ୍ୟାଟିଂ ଓ ଡାହାଣ ହାତରେ ବୋଲିଂ କରୁଥିବା ସାରାଂଶ ଏପ୍ରିଲ ୨୦୧୪ରେ ମଧ୍ୟପ୍ରଦେଶ ଫାଷ୍ଟକ୍ଲାସ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଏଯାଏଁ ୫୪ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୭.୩୦ ଆଭରେଜରେ ୧୮୮ ଓ୍ୱିକେଟ ନେଇଛନ୍ତି। ବ୍ୟାଟିଂରେ ବି ଭଲ ପ୍ରଦର୍ଶନ କରିଛନ୍ତି। ୩୧.୭୫ ଆଭରେଜରେ ୨ହଜାର୨୨୩ ରନ୍ କରିଛନ୍ତି। ଏଥିରେ ୨ଟି ସେଞ୍ଚୁରୀ ଓ ୧୪ଟି ଅର୍ଦ୍ଧଶତକ ରହିଛି। ଶ୍ରୀଲଙ୍କାରେ ୧୫ରୁ ୧୯ ଅଗଷ୍ଟ ଯାଏ ପ୍ରଥମ ଟେଷ୍ଟ ଓ ୨୩ରୁ ୨୭ ଅଗଷ୍ଟ ଯାଏ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଶ୍ରୀଲଙ୍କା ବିରୁଦ୍ଧରେ ଦୁଇଟି ଟେଷ୍ଟ ମ୍ୟାଚରେ ସିରିଜ୍ ପାଇଁ ରବୀନ୍ଦ୍ର ଜାଡ଼େଜା ବି ଭାରତୀୟ ଟିମକୁ ଫେରିଛନ୍ତି।
