୨୦ ବର୍ଷ ହେଲା ବକେୟା ଟଙ୍କା ଜମା ନକରି କେମିତି ମାଗୁଛ ସେଲଡିଡ୍?
ଧାର୍ଯ୍ୟ ସମୟ ଭିତରେ ଜାଣିଶୁଣି କ୍ରେତା ବକେୟା ଟଙ୍କା ଦେଲେନି। ଆଉ ବାକି ଟଙ୍କା ଜମା କରିବାକୁ ସମୟ ଗଡ଼ାଇଚାଲିଲେ। ଯେଉଁ କୋର୍ଟ ଡିଗ୍ରୀ ଦେଲେ, ତାଙ୍କ ପାଖରେ ଅଧିକାର ବି ଅଛି। ଯଦି ସମୟସୀମାରେ ବକେୟା ଟଙ୍କା କ୍ରେତା ନଦେଲେ, ସେ ଡିକ୍ରିକୁ ସେ ରଦ୍ଦ କରିପାରିବେ।

୨୦ ବର୍ଷ ଧରି ବାକି ଟଙ୍କା ଜମା କଲେନି କ୍ରେତା। ସେଥିଲାଗି ଏବେ ସେଲ୍ ଡିଡ୍ ପାଇଁ ଦାବି କରିପାରିବେନି। ଆହ୍ଲାବାଦ ହାଇକୋର୍ଟ ସମ୍ପତ୍ତି କ୍ରେତାଙ୍କୁ ରୋକଠୋକ ଏଭଳି ଶୁଣାଇଦେଇଛନ୍ତି। ଏପରିକି ବାକି ଟଙ୍କା ଜମା କରିବାକୁ ଯେଉଁ ମହଲତ ଲାଗି ଆଦେଶ ଦିଆଯାଇଥିଲା, ତାକୁ ବି ରଦ୍ଦ କରିଦେଇଛନ୍ତି ଅଦାଲତ। ଯାହାଙ୍କ ସପକ୍ଷରେ ସ୍ପେଶିଫିକ ପରଫରମାନ୍ସ ବା ଅନୁବନ୍ଧ ପାଳନର ମକଦ୍ଦମା ହୋଇଥିଲା। କୋର୍ଟ ଦେଖିଲେ ଯେ, ବକେୟା ଟଙ୍କା ଜମା କରିବାକୁ ସମୟ ବଢ଼ାଇଚାଲିଥିଲେ କ୍ରେତା। ଆଉ ଏହି ଆବେଦନକୁ ୨୦ ବର୍ଷ ଅପେକ୍ଷା କରାଇଲେ। ରାମଲାଲ ବନାମ ଜରନୈଲ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ନଜିର ଦେଇଥିଲେ ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରଓ୍ୱାଲ। ଜଷ୍ଟିସ ଅଗ୍ରଓ୍ୱାଲ କହିଛନ୍ତି, ଧାର୍ଯ୍ୟ ସମୟ ଭିତରେ ଜାଣିଶୁଣି କ୍ରେତା ବକେୟା ଟଙ୍କା ଦେଲେନି। ଆଉ ବାକି ଟଙ୍କା ଜମା କରିବାକୁ ସମୟ ଗଡ଼ାଇଚାଲିଲେ। ଯେଉଁ କୋର୍ଟ ଡିଗ୍ରୀ ଦେଲେ, ତାଙ୍କ ପାଖରେ ଅଧିକାର ବି ଅଛି। ଯଦି ସମୟସୀମାରେ ବକେୟା ଟଙ୍କା କ୍ରେତା ନଦେଲେ, ସେ ଡିକ୍ରିକୁ ସେ ରଦ୍ଦ କରିପାରିବେ। ବିନା କୌଣସି କାରଣରେ କ୍ରେତା ବକେୟା ଟଙ୍କା ନଦେଇ କେବଳ ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇଚାଲୁଥିବାର ପ୍ରମାଣ ମିଳିଲା। ଏ ବିବାଦ ଦୁଲିରାମ ମୌର୍ଯ୍ୟ ଓ ନନ୍ଦରାମଙ୍କ ଭିତରେ ଥିଲା। ୧୯୯୧ର ଘଟଣା। ୨୫ହଜାର ଟଙ୍କାରେ ଜମି ବିକିବାକୁ ଦୁଲିରାମ ବୁଝାମଣା କରିଥିଲେ। ୧୩ହଜାର ଟଙ୍କା ନନ୍ଦରାମ ଦେଇଥିଲେ। ହେଲେ ବାକି ୧୨ହଜାର ଟଙ୍କା ସେଲ୍ ଡିଡ୍ ହେବା ପରେ ଦେବାର ଥିଲା। ହେଲେ ଟଙ୍କା ଦେଇନଥିଲେ। ଏହା ପରେ ନନ୍ଦରାମ ବିକ୍ରି ବୁଝାମଣାରେ ଥିବା ସ୍ପେଶିଫିକ୍ ପରଫରମାନ୍ସକୁ ଧରି ମାମଲା ରୁଜୁ କଲେ। ଟ୍ରାଏଲ କୋର୍ଟ ୧୯୯୮ରେ ଏହି ମାମଲାକୁ ଖାରଜ କରିଦେଲେ। କୋର୍ଟ ହୃଦବୋଧ କରିଥିଲେ ଯେ, ସେଲ୍ ଡିଡ୍ ପୁରା କରିବାକୁ କୌଣସି ଲେନଦେନ୍ ହୋଇନଥିଲା। ଆଉ ଏହି ଏଗ୍ରିମେଣ୍ଟ ଅସଲରେ ପ୍ରତିବାଦୀ ଦୁଲିରାମ ନେଇଥିବା ଋଣକୁ ଲୁଚାଇବାକୁ କାରସାଦି ହୋଇଥିଲା। ୨୦୦୩ରେ ବାଦି ନନ୍ଦରାମଙ୍କ ସିଭିଲ ଅପିଲ ଗ୍ରହଣ ହୋଇଥିଲା ଓ ତାଙ୍କ ସପକ୍ଷରେ ରାୟ ଆସିଥିଲା। କୋର୍ଟ ଦୁଇମାସ ଭିତରେ ସେଲଡିଡ୍ ବା ସେଲ୍ ଏଗ୍ରିମେଣ୍ଟ ସମ୍ପନ୍ନ କରିବାକୁ ନିର୍ଦେଶ ଦେଇଥିଲେ। ବକେୟା ଟଙ୍କା ବି ଜମା କରିବାକୁ ନନ୍ଦରାମଙ୍କୁ ନିର୍ଦେଶ ଦେଇଥିଲେ। ଆଉ ଏହି ଡିଗ୍ରୀକୁ ଧରି ଖେଳିଥିଲେ ନନ୍ଦରାମ। ହେଲେ ବାକି ଟଙ୍କା ପୈଠ କଲେନି। ହାଇକୋର୍ଟ କହିଛନ୍ତି, ଦୁଇଟି ତଳ କୋର୍ଟ ଏହି ମାମଲାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳ ହେଲେ। ଦ୍ୱିତୀୟ କେସ୍ ପେଣ୍ଡିଂ ଅଛିର ଆଳ ନେଇ ଡିଗ୍ରୀକୁ ଲାଗୁ କରିବାର ଆଧାରକୁ ଗୌଣ କରିଦେଲେ। କୋର୍ଟ ବିକ୍ରେତାଙ୍କ ଅପିଲକୁ ମଞ୍ଜୁର କରିବା ସହ ନିର୍ଦେଶ ଦେଇଛନ୍ତି ଯେ, ଜୁଲାଇ ୩, ୧୯୯୧ରେ ବିକ୍ରି ବୁଝାମଣା ଆଧାରରେ କ୍ରେତାଙ୍କଠୁ ମିଳିଥିବା ଅଗ୍ରୀମ ରାଶି ପାଇବା ଦିନଠୁ ୬ ପ୍ରତିଶତ ସୁଧ ସହ ମାସକ ଭିତରେ ଜମା କର।
