ୟୁଟ୍ୟୁବର ରଚନାଙ୍କ ଘରେ କଳାକନା ବୁଲାଇଲା ଚୋର
ରଚନା ଗୁର୍ଜର ସୋସିଆଲ ମିଡିଆରେ ନିଜ ଘର, ଗହଣା ଏବଂ ନଗଦ ଟଙ୍କା ଦେଖାଇ ଭିଡିଓ ପୋଷ୍ଟ କରୁଥିଲେ। ପୋଲିସ ସନ୍ଦେହ କରୁଛି ଯେ ଚୋରମାନେ ଏହି ଭିଡିଓଗୁଡ଼ିକ ଦେଖି ଘରର ଡିଜାଇନ ଓ ମୂଲ୍ୟବାନ ସାମଗ୍ରୀ ବାବଦରେ ସୂଚନା ପାଇଥିଲେ ଏବଂ ସେହି ଆଧାରରେ ଚୋରି ଯୋଜନା କରିଥିଲେ।

ୟୁଟ୍ୟୁବର୍ ରଚନା ଗୁର୍ଜରଙ୍କ ଘରେ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ମୋହାନୀ ଗାଁରେ ଥିବା ତାଙ୍କ ଘରକୁ ରାତିରେ ଚୋର ପ୍ରବେଶ କରି ନଗଦ ଟଙ୍କା, ସୁନା-ରୂପା ଗହଣା ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଲୁଟି ନେଇଥିଲେ। ପୋଲିସ ଅନୁସନ୍ଧାନ ଅନୁଯାୟୀ, ଚୋରମାନେ ରାତି ପ୍ରାୟ ୨ଟା ବେଳେ ଘରେ ପ୍ରବେଶ କରି ପରିବାର ଲୋକଙ୍କୁ ଏକ କୋଠରୀରେ ବାହାରୁ ବନ୍ଦ କରିଦେଇଥିଲେ। ସିସିଟିଭି କ୍ୟାମେରାର ଦିଗ ପରିବର୍ତ୍ତନ କରି ସେମାନେ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ମୁହଁ ରେକର୍ଡ ହୋଇନଥିଲା। ପରେ ଅଲମାରୀ ଭାଙ୍ଗି ନଗଦ ଟଙ୍କା, ସୁନାର ମଙ୍ଗଳସୂତ୍ର, ସୁନା ଆଙ୍ଗୁଠି, ରୂପା ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇ ଯାଇଥିଲେ। ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୭ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ବେଳେ, ପ୍ରାୟ ୧.୯୧ ଲକ୍ଷ ଟଙ୍କା ନଗଦ ମଧ୍ୟ ନେଇଯାଇଥିଲା। ଚୋରମାନେ ଏକ କ୍ରେଟ୍ ଏନର୍ଜି ଡ୍ରିଙ୍କ ମଧ୍ୟ ନେଇଯାଇଥିବା ଖବର ମିଳିଛି। ରଚନା ଗୁର୍ଜର ସୋସିଆଲ ମିଡିଆରେ ନିଜ ଘର, ଗହଣା ଏବଂ ନଗଦ ଟଙ୍କା ଦେଖାଇ ଭିଡିଓ ପୋଷ୍ଟ କରୁଥିଲେ। ପୋଲିସ ସନ୍ଦେହ କରୁଛି ଯେ ଚୋରମାନେ ଏହି ଭିଡିଓଗୁଡ଼ିକ ଦେଖି ଘରର ଡିଜାଇନ ଓ ମୂଲ୍ୟବାନ ସାମଗ୍ରୀ ବାବଦରେ ସୂଚନା ପାଇଥିଲେ ଏବଂ ସେହି ଆଧାରରେ ଚୋରି ଯୋଜନା କରିଥିଲେ। ଏହି ଘଟଣା ପରେ ସୋସିଆଲ ମିଡିଆରେ ମୂଲ୍ୟବାନ ସାମଗ୍ରୀ ଦେଖାଇ ଭାଇରାଲ କଲେ ଏହା କେମିତି ସୁରକ୍ଷା ବିପଦ ସୃଷ୍ଟି କରୁଛି, ତାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜୁଛି।

