ଗୋମାଫିଆଙ୍କ ଘରେ ପୋଲିସର ଅତର୍କିତ ଚଢ଼ାଉ, ୨ ଗିରଫ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୋ-ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ୬ ଜଣ ସନ୍ଦିଗ୍ଧ ଗୋମାଫିଆଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା।

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୋ-ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ୬ ଜଣ ସନ୍ଦିଗ୍ଧ ଗୋମାଫିଆଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା। ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନା ଅଞ୍ଚଳର ୩ଟି ସ୍ଥାନ ଏବଂ ପୁରୁଣା ବଜାର ଥାନା ଅଞ୍ଚଳର ୩ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ହୋଇଥିବା ଏହି ଅଭିଯାନରେ ଦୁଇ ଜଣ ଗୋମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପୁରୁଣା ବଜାର ଅଞ୍ଚଳର ଜାହିଦ ଖାନ ଏବଂ ବୁଧବାର ହାଟ ଅଞ୍ଚଳର ମାତର ଖାନ ବୋଲି ପୋଲିସ ସୂଚନା ଦେଇଛି। ଚଢ଼ାଉ ସମୟରେ ନଗଦ ଟଙ୍କା, ସୁନା ଗହଣା ଓ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ବେଆଇନ ଗୋ-ଚାଲାଣ ଓ ଗୋ-ମାଂସ ଚାଲାଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହିପରି ଚଢ଼ାଉ ହୋଇଥିବା ବେଳେ, ଡିଆଇଜିଙ୍କ ନିର୍ଦ୍ଦେଶରେ ଗୋମାଫିଆ ବିରୋଧରେ ଅଭିଯାନ ଜୋରଦାର ହୋଇଛି। ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇ କହିଛନ୍ତି ଯେ, ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ।
