OPTCL କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଲୁଟିନେଲେ ଦୁର୍ବୁତ୍ତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଚୁଳିଆ ଗାଁ ନିକଟରେ OPTCL କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଲୁଟି ନେଲେ ଦୁର୍ବୁତ୍ତ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଚୁଳିଆ ଗାଁ ନିକଟରେ OPTCL କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଲୁଟି ନେଲେ ଦୁର୍ବୁତ୍ତ। ଗୁରୁତର OPTCL କର୍ମଚାରୀ ଜଣଙ୍କ ହେଲେ ଭୁବନ ଏନଏସି ୬ ନଂ ୱାର୍ଡର ରାକେଶ କୁମାର ଦାସ। ରାକେଶ ନିଜ ବାଇକ ଯୋଗେ ଘରୁ ମେରାମଣ୍ଡଳୀ ସ୍ଥିତ OPTCL ଅଫିସକୁ ଡ୍ୟୁଟି ଯାଉଥିବା ବେଳେ ଘଟିଛି ଅଘଟଣ। ଚୁଳିଆ ଗାଁ ନିକଟରେ ଗାଡି ରଖି ପାଣି ପିଉଥିବା ସମୟରେ ୫ ରୁ ୬ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିସହିତ ରାକେଶଙ୍କ ବ୍ୟାଗକୁ ନେଇଥିଲେ। ବ୍ୟାଗରେ ଦରକାରୀ କାଗଜ ପତ୍ର ସହିତ ପ୍ରାୟ ୨୨ ଶହ ଟଙ୍କା ଥିବା ଜଣାପଡିଛି।ସ୍ଥାନୀୟ ଲୋକ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି NHAI ଗାଡ଼ିରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଡାହାଣ ହାତ,କାନ୍ଧ, ଜଙ୍ଘ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ରାକେଶଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
