ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା’
ଆରମ୍ଭ ହେଲା ସୋମନାଥ ସ୍ବାଭିମାନ ଯାତ୍ରା। ୧୧୦୦ରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନେଇ ଗୁଜରାଟ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ। ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଆରମ୍ଭ ହେଲା ସୋମନାଥ ସ୍ୱାଭିମାନ ପର୍ବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କୁତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭ ଆରମ୍ଭ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି। ତେବେ ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ସୋମନାଥ ମନ୍ଦିର ବୁଲିବା ପରେ ଫେରିବେ ।
ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ସୋମନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ ଆମେ ସୋମନାଥ ସ୍ଵାଭିମାନ ଯାତ୍ରାରେ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟର କିଛି ପବିତ୍ର ନିଦର୍ଶନ ମଧ୍ୟ ସୋମନାଥକୁ ପଠାଉଛୁ। ଏକାମ୍ର କ୍ଷେତ୍ରର ହୃଦୟସ୍ଥଳୀ ପବିତ୍ର ବିନ୍ଦୁସାଗରର ଜଳ ଆଜି ସୋମନାଥ ଧାମକୁ ଯାଉଛି। ଏହି ପବିତ୍ର ଜଳ ଓଡ଼ିଶାର ଭକ୍ତିର ବାର୍ତ୍ତା ନେଇ ସୋମନାଥରେ ପହଞ୍ଚିବ। ଏହି ଶୁଭାରମ୍ଭ ଉତ୍ସବରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଶ୍ରୀ ବାବୁ ସିଂ ଉପସ୍ଥିତ ଥିଲେ ।
