Technical Assistant Service:ଚାକିରୀରୁ ବାହାର କରିଦେଲେ କୁଆଡ଼େ ଯିବୁ- ବୈଷୟିକ ସହାୟକଙ୍କ ଗୁହାରି
ସଚିବ କିନ୍ତୁ ନାନା ଆଳ ଦେଖାଇ କାମ ନକରିବାକୁ କୁଆଡ଼େ ପିଏ ଆଇଟିଡିଏ ଓ ଏମପିଏ ଏସଓଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ କଲା ବେଳେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଚିହ୍ନଟ, ଆଦିବାସୀ ପରିବାରଙ୍କୁ ସଂପୃକ୍ତ, ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଓ ଜୀବିକା ସହାୟତାମୂଳକ କାମରେ ବାଧା ଉପୁଜୁଛି।

ଏମଏନଆରଜିଏ ବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବୈଷୟିକ ସହାୟକ ଭାବେ ୬ ବର୍ଷ ହେଲା କାର୍ଯ୍ୟରତ ପ୍ରାୟ ୪୦ କର୍ମଚାରୀଙ୍କ ଚାକିରୀ ଏବେ ବିପଦରେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଠିକା ନିଯୁକ୍ତି ସଂସ୍ଥା ଦ୍ୱାରା ଏମାନେ ନିଯୁକ୍ତି ପାଇଥିଲେ। ହେଲେ ନା ଆଜି ଯାଏ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଗଲା ନା ପାରିଶ୍ରମିକ ସଠିକ ସମୟରେ ଦିଆଯାଇଛି। ଏବେ ଏମଏନଆରଜିଏ ଯୋଜନାର ନାଁ ପରିବର୍ତ୍ତନ କରି ଭିବି-ଜି ରାମଜି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ଯୋଜନା ଜରିଆରେ ୩୧୮ ପ୍ରକାର ବିକାଶମୂଳକ କାମ କରିବାକୁ ଅନୁମତି ରହିଛି। ଓଡ଼ିଶାରେ କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଇଦିଆଯାଉନି। ଯେମିତିକି ବନବିଭାଗ, ଜଳସମ୍ପଦ, କୃଷିଉଦ୍ୟାନ, ମୃତ୍ତିକା ସଂରକ୍ଷଣ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ପାନୀୟ ଜଳ ଆଦି ବିଭାଗ ପଞ୍ଚାୟତିରାଜ ବିଭାଗ ସହ କାମ କରୁଥିବା ବେଳେ ଅନୁସୂଚିତ ଜାତି, ଜନଜାତି ବିଭାଗର ସଚିବ କିନ୍ତୁ ନାନା ଆଳ ଦେଖାଇ କାମ ନକରିବାକୁ କୁଆଡ଼େ ପିଏ ଆଇଟିଡିଏ ଓ ଏମପିଏ ଏସଓଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ କଲା ବେଳେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଚିହ୍ନଟ, ଆଦିବାସୀ ପରିବାରଙ୍କୁ ସଂପୃକ୍ତ, ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଓ ଜୀବିକା ସହାୟତାମୂଳକ କାମରେ ବାଧା ଉପୁଜୁଛି। ଆଉ ଏହାର ଅଧିକ ପ୍ରତିଫଳନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଡ଼ୁଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କ ଯୁକ୍ତି ଯେ, ଯେହେତୁ ଭିବି ଜି-ରାମଜି ତାଙ୍କ ବିଭାଗର ନୁହେଁ। ସେମାନେ କାହିଁକି କାମ କରାଇବେ। ଯଦିଓ ଏହା ପଞ୍ଚାୟତିରାଜ ବିଭାଗର କାମ, କିନ୍ତୁ କନଭର୍ଜେନ୍ସ ମୋଡ୍ ଅଧିନରେ ଅନ୍ୟ ବିଭାଗ ସହ କାମ କରିହୁଅନ୍ତା। ଯେମିତି ଭିବି-ଜି ରାମଜି ସ୍କିମରେ କେନ୍ଦ୍ର ସରକାରଙ୍କ ୬୦ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ରହିଛି। ସେଭଳି ଗୋଟିଏ ଜିଲ୍ଲାର ବ୍ଲକ ଅଧୀନରେ ୬୦ ପ୍ରତିଶତ ଓ ଲାଇନ ଡିପାର୍ଟମେଣ୍ଟ ଅଧୀନରେ ୪୦ ପ୍ରତିଶତ କାମ ବଣ୍ଟନ ହୋଇପାରିବ। ଏହି ସ୍କିମ ଅଧୀନରେ ଆଇଟିଡିଏ ଦ୍ୱାରା ନିଆଯାଉଥିବା କାମକୁ ଜନଜାତି ପରିବାରଙ୍କୁ ଯୋଗାଇ ହୁଅନ୍ତା। ସେମାନଙ୍କ ଜମିର ଉତ୍ପାଦନଶୀଳତା, ଆୟ ଓ ଜୀବିକାର ସ୍ଥାୟିତ୍ୱ ବୃଦ୍ଧି ହୁଅନ୍ତା ବୋଲି କର୍ମଚାରୀ ସଂଘ ଯୁକ୍ତି ରଖୁଛି। ଏହା ଛଡ଼ା ଅନୁସୂଚିତ ଜାତିଜନଜାତି ବିଭାଗ ଟେକ୍ନିକାଲ ଷ୍ଟାଫର ଅଭାବ ସହ ବିଭାଗରେ ଆଇଟିଡିଏ ପିଏ ଠିକ୍ ସମୟରେ ବିନିଯୋଗ ପ୍ରମାଣପତ୍ର ବା ୟୁସି ଦେଇପାରୁନଥିବାର ଆଳ ନେଇ କାମ କରିପାରିବୁନି ବୋଲି ଯେଉଁ ଯୁକ୍ତି ଦେଖାଉଛି, ତାକୁ ବି ଖଣ୍ଡନ କରିଛି ସଂଘ। ଭିବି- ଜି ରାମ ଜି ସ୍କିମରେ ଟେକ୍ନିକାଲ ବ୍ୟକ୍ତିଙ୍କୁ ଏନଗେଜ୍ କରାଯାଇପାରିବ। ଆଉ ଜୁଲାଇ ୧୭, ୨୦୨୬ରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଦ୍ୱିତୀୟ କଥା ହେଲା, ଭିବି-ଜି ରାମ ଜି ସ୍କିମରେ କୌଣସି ୟୁସି ହିଁ ଦିଆଯାଏନା। କାରଣ ଏହି ବିଭାଗର କାମ ପାଇଁ ପୂର୍ବରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ କାମ କଲେ କଣ୍ଟିଜେନ୍ସିରୁ ଦରମା ପାଉଛନ୍ତି। କାରଣ ଏଭଳି କର୍ମଚାରୀଙ୍କ ଦରମା ଲାଗି ରାଜ୍ୟ ରାଜକୋଷରେ କୌଣସି ଆଲଟମେଣ୍ଟ ରଖାଯାଇନି। ପଞ୍ଚାୟତିରାଜ ବିଭାଗ ସହ ଅନୁସୂଚିତ ଜାତି ଜନଜାତି ବିଭାଗର କୌଣସି ଦ୍ୱନ୍ଦ୍ୱ ବି ରହିବନି। ଯଦି ବିଭାଗ କାମ କରେ। ତାହେଲେ ଡୁପ୍ଲିକେଟ ଓ୍ୱାର୍କର ସମ୍ଭାବନା ବି ନାହିଁ। କାରଣ ପୂର୍ବରୁ ଗ୍ରହଣ ବା କାର୍ଯ୍ୟକାରୀ ହୋଇଥିବା କୌଣସି କାମକୁ ପୁନର୍ବାର ଭିବି-ଜି ରାମଜି ଅଧୀନରେ ଗ୍ରହଣ କରିବାର ସୁଯୋଗ ହିଁ ନଥାଏ। କାମ କରିବାକୁ ସୁଯୋଗ ଦେଲେ ଅନ୍ତତଃ କିଛି ଆଦିବାସୀ ଲୋକ ତାଙ୍କ ଜୀବିକାକୁ ସୁରକ୍ଷିତ ରଖିପାରିବେ। ଆଉଟସୋର୍ସିଂ ଜରିଆରେ ଭର୍ତ୍ତି ହୋଇଥିବା ୩୩ ଜଣ ଟେକ୍ନିକାଲ କନସଲଟାଣ୍ଟ ବି ଜୀବିକା ହରାଇବେନି। ନଚେତ୍ ୬୦ରୁ ଅଧିକ ଏମଜିଏନଆରଜିଏ ଆସିଷ୍ଟାଣ୍ଟ ଯେଉଁମାନେ ଆଇଟିଡିଏ ଓ ଏମପିଏ ସ୍ତରରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ, ସେମାନେ ଏଥିରୁ ବଞ୍ଚିତ ହୋଇଯିବେ।
