ମାଲବୀୟନଗର ଅଗ୍ନିକାଣ୍ଡରେ ୧୩ ବିଦେଶୀଙ୍କ ମୃତ୍ୟୁ
ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ଭିତରୁ ୧୩ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ସର୍ବାଧିକ ନାଇଜେରିଆରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କିର୍ଗିସ୍ତାନରୁ ୩ଜଣଙ୍କ ଜୀବନ ଯାଇଛି

ଦିଲ୍ଲୀ ମାଲବୀୟ ନଗର ଅଗ୍ନିକାଣ୍ଡରେ ମୃତ ବିଦେଶୀଙ୍କ ସଂଖ୍ୟା ଓ କେଉଁ ଦେଶର ବୋଲି ଭାରତ ସରକାର ତାଲିକା ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ଭିତରୁ ୧୩ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ସର୍ବାଧିକ ନାଇଜେରିଆରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କିର୍ଗିସ୍ତାନରୁ ୩ଜଣଙ୍କ ଜୀବନ ଯାଇଛି। ବାଂଲାଦେଶ, ଲିବେରିଆ, କଙ୍ଗୋ,ମୋଜାମବିକ୍, ଉଜବେକିସ୍ତାନ, ଇରାକରୁ ଜଣେ ଲେଖାଏଁ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହ ୨୨ ବିଦେଶୀ ଏ ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆହତଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଯାଉଛି। ବିଦେଶ ମନ୍ତ୍ରାଳୟ ଏହି ତାଲିକା ଜାରି କରିଛି।ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଅବସ୍ଥିତ ‘ଫ୍ଲୋରିଶ୍ ଷ୍ଟେ’ (Flourish Stay) ନାମକ ହୋଟେଲ୍/ବେଡ୍ ଆଣ୍ଡ ବ୍ରେକଫାଷ୍ଟ (B&B) ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୨୧ ଜଣଙ୍କ ମୃତ୍ୟୁ ଓ ଅନେକ ଲୋକ ଆହତ ହେବା ପରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି। ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।
ଅଗ୍ନିକାଣ୍ଡ ଘଟଣାରେ ହୋଟେଲର ସହ-ମାଲିକ ଲୋକେଶ ବଜାଜଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀର ଏକ ଅଦାଲତ ତାଙ୍କ ଗିରଫକୁ ବୈଧ ବୋଲି ମାନି ପୁଲିସ ରିମାଣ୍ଡକୁ ଅନୁମତି ଦେଇଛନ୍ତି। ତାଙ୍କୁ ପଚରାଉଚରା କରି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରାଥମିକ ତଦନ୍ତରେ ହୋଟେଲରେ ଗୁରୁତର ଅଗ୍ନି ନିରାପତ୍ତା ତ୍ରୁଟି ଥିବା ଜଣାପଡ଼ିଛି। ଅଗ୍ନି ନିର୍ବାପକ ବ୍ୟବସ୍ଥା, ଜରୁରୀକାଳୀନ ନିର୍ଗମ ପଥ ଓ ଅନ୍ୟାନ୍ୟ ସୁରକ୍ଷା ମାନଦଣ୍ଡ ପାଳନ କରାଯାଇନଥିବା ଅଭିଯୋଗ ରହିଛି। ପୁଲିସ ଏବେ ବିଲ୍ଡିଂ ନିୟମ ଓ ଲାଇସେନ୍ସ ସମ୍ବନ୍ଧୀୟ ଅନିୟମିତତାର ମଧ୍ୟ ତଦନ୍ତ କରୁଛି।
ତଦନ୍ତରେ ସାମ୍ନାକୁ ଆସିଛି ଯେ, ଭବନଟିକୁ ମାତ୍ର ୬ଟି କୋଠରୀ ପାଇଁ ଅନୁମତି ମିଳିଥିଲେ ମଧ୍ୟ ସେଠାରେ ପ୍ରାୟ ୨୫ଟି କୋଠରୀ ଚାଲୁଥିଲା। ଏହାକୁ ନେଇ ନିର୍ମାଣ ଅନୁମତି ଓ ପ୍ରଶାସନିକ ତଦାରଖ ଉପରେ ପ୍ରଶ୍ନ ଉଠିଛି।ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାର ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ଅବହେଳା ପ୍ରମାଣିତ ହେଲେ ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହା ସହିତ ଦିଲ୍ଲୀ ସରକାର ସହରର ବିଭିନ୍ନ ହୋଟେଲ୍, ଗେଷ୍ଟ ହାଉସ୍ ଓ ବ୍ୟବସାୟିକ ଭବନରେ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ କରିଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକୁ ସିଲ୍ କରାଯାଇପାରେ। ଅନେକ ବେଆଇନ ବିଲଡିଂକୁ ଉଛେଦ କାମ ଜାରି ରହିଛି। ଦିଲ୍ଲୀ ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର ଘୋଷଣା କରିଛନ୍ତି ଯେ, ଏହି ଘଟଣା ପରେ ଦିଲ୍ଲୀର ବେଡ୍ ଆଣ୍ଡ ବ୍ରେକଫାଷ୍ଟ (B&B) ନୀତିକୁ ବାତିଲ୍ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହା ସହ ସମସ୍ତ ପଞ୍ଜିକୃତ B&B ସଂସ୍ଥାର ଅଡିଟ୍ କରାଯିବ। ଅଗ୍ନିକାଣ୍ଡ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଦୋକାନର ଗଦି (ମ୍ୟାଟ୍ରେସ୍) ବ୍ୟବହାର କରିଥିବା ବ୍ୟବସାୟୀ ରିଆଜୁଦ୍ଦିନ ମନସୁରୀ ସରକାରଙ୍କ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ ଉଦ୍ଧାର କାର୍ଯ୍ୟ ସମୟରେ ତାଙ୍କର ପ୍ରାୟ ୨ ଲକ୍ଷ ଟଙ୍କାର କ୍ଷତି ହୋଇଛି।
