ଉତ୍ତମ ସିଂ ହଟିଂରେ ବଡ଼ ଧରପଗଡ଼, ୪୦ ଟନ୍ ଚୋରା ମାଙ୍ଗାନିଜ୍ ଠାବ
କେନ୍ଦୁଝର : ବଡ଼ବିଲ ବଡ଼ବିଲ ଉତ୍ତମ ସିଂ ହଟିଂ ଅଞ୍ଚଳରେ ବନ ବିଭାଗ, ପୋଲିସ୍ ଓ ଖଣି ବିଭାଗର ମିଳିତ ଚଢ଼ାଉ କରାଯାଇଥିଲା। ୪୦ ଟନ୍ ଚୋରା ମାଙ୍ଗାନିଜ୍ ଜବତ, ଲୋଡର୍-ହାଇୱା-ପିକ୍ଅପ୍ ଭ୍ୟାନ୍ ସିଜ୍ ।
କେନ୍ଦୁଝର ଜିଲ୍ଲାର ବଡ଼ବିଲ ଉତ୍ତମ ସିଂ ହଟିଂ ଅଞ୍ଚଳରେ ବନ ବିଭାଗ, ପୋଲିସ୍ ଓ ଖଣି ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୪୦ ଟନ୍ ଚୋରା ମାଙ୍ଗାନିଜ୍ ଓର୍ ଜବତ ହୋଇଛି। ଚଢ଼ାଉ ବେଳେ ଗୋଟିଏ ଲୋଡର୍, ଗୋଟିଏ ୧୬ ଚକିଆ ହାଇୱା ଏବଂ ଏକ ପିକ୍ଅପ୍ ଭ୍ୟାନ୍କୁ ମଧ୍ୟ ସିଜ୍ କରାଯାଇଛି। ସୂଚନା ଅନୁଯାୟୀ, ଉତ୍ତମ ସିଂ ହଟିଂ ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରି ନିର୍ମିତ ଏକ ଘର ପରିସରରେ ବହୁ ପରିମାଣର ଚୋରା ମାଙ୍ଗାନିଜ୍ ଗଚ୍ଛିତ ରଖାଯାଇଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାଜିଷ୍ଟ୍ରେଟ ଓ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକଙ୍କ ଉପସ୍ଥିତିରେ ଏହି ଅଭିଯାନ ଚାଲିଥିଲା। ପ୍ରାଥମିକ ତଦନ୍ତରୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ ମାଙ୍ଗାନିଜ୍ ଉତ୍ତୋଳନ କରାଯାଇ ଏହାକୁ ଉକ୍ତ ଘରେ ଗଚ୍ଛିତ ରଖି ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏହି କାରବାରରେ ରଞ୍ଜନ କୁମାର ତନ୍ତୀଙ୍କ ସମ୍ପୃକ୍ତି ଥିବା କୁହାଯାଉଥିବାବେଳେ ଚଢ଼ାଉ ପୂର୍ବରୁ ସୂଚନା ପାଇ ସେ ସମେତ ଅନ୍ୟ ଖଣିଜ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜବତ ମାଙ୍ଗାନିଜ୍ ଓର୍ର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଜବତ ଖଣିଜ ଦ୍ରବ୍ୟ ଓ ଯାନବାହନଗୁଡ଼ିକୁ ବନ ବିଭାଗ ହେପାଜତକୁ ନେଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ବଡ଼ବିଲ ରେଞ୍ଜର୍ ସଞ୍ଜୀବ କୁମାର ରାଉତ କହିଛନ୍ତି, ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପ୍ରଶାସନର ଚେଷ୍ଟା ଜାରି ରହିଛି।
