JPSC ପରୀକ୍ଷା ବାତିଲ୍ ନିଷ୍ପତ୍ତିକୁ ଝାଡ଼ଖଣ୍ଡ ହାଇକୋର୍ଟର ରୋକ୍
ଝାଡ଼ଖଣ୍ଡ ସରକାରଙ୍କ JPSC ପରୀକ୍ଷା ଓ ନିଯୁକ୍ତି ବାତିଲ୍ ନିଷ୍ପତ୍ତି ଉପରେ ବଡ଼ ଝଟକା। ୧୧ତମରୁ ୧୩ତମ JPSCରେ ହୋଇଥିବା ନିଯୁକ୍ତି ବାତିଲ୍ ନୋଟିଫିକେସନ୍ ଉପରେ ଅନ୍ତରୀଣ ରୋକ୍ । ଫଳରେ ପ୍ରାୟ ୪୫୦ ପ୍ରାର୍ଥୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। .ଜଷ୍ଟିସ୍ ଦୀପକ ରୋଶନଙ୍କ ଅଦାଲତରେ ନବନିଯୁକ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକାଧିକ ପିଟିସନର ଶୁଣାଣି ବେଳେ ଅନ୍ତରୀଣ ନିର୍ଦ୍ଦେଶ।
ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ JPSC ପରୀକ୍ଷା ଓ ନିଯୁକ୍ତି ବାତିଲ୍ ନିଷ୍ପତ୍ତି ଉପରେ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ ୧୧ତମରୁ ୧୩ତମ JPSC ସିଭିଲ୍ ସର୍ଭିସ ପରୀକ୍ଷା ମାଧ୍ୟମରେ ହୋଇଥିବା ନିଯୁକ୍ତି ବାତିଲ୍ ନୋଟିଫିକେସନ୍ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଫଳରେ ପ୍ରାୟ ୪୫୦ ପ୍ରାର୍ଥୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜଷ୍ଟିସ୍ ଦୀପକ ରୋଶନଙ୍କ ଅଦାଲତରେ ନବନିଯୁକ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକାଧିକ ପିଟିସନର ଶୁଣାଣି ବେଳେ ଏହି ଅନ୍ତରୀଣ ନିର୍ଦ୍ଦେଶ ଆସିଛି। କୋର୍ଟ ଫୁଡ୍ ସେଫ୍ଟି ଅଫିସରଙ୍କ ନିଯୁକ୍ତି ବାତିଲ୍ ନିଷ୍ପତ୍ତି ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ପ୍ରାର୍ଥୀମାନଙ୍କ ଯୁକ୍ତି ଥିଲା, ନିଯୁକ୍ତି ବାତିଲ୍ ପୂର୍ବରୁ ସେମାନଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇନଥିଲା। ହାଇକୋର୍ଟ ପ୍ରାଥମିକ ଭାବେ ଏହା ପ୍ରାକୃତିକ ନ୍ୟାୟର ନୀତି ସହ ସମ୍ପର୍କିତ ପ୍ରଶ୍ନ ଉଠାଉଥିବା ଦର୍ଶାଇ ନିଯୁକ୍ତି ବାତିଲ୍ ନୋଟିଫିକେସନ୍ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଛନ୍ତି। ହାଇକୋର୍ଟ ଝାଡ଼ଖଣ୍ଡ ସରକାର ଓ JPSCକୁ ଏହି ମାମଲାରେ ଜବାବ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ପରୀକ୍ଷାରେ ଅନିୟମିତତା ଅଭିଯୋଗ ଓ CID ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ରାଜ୍ୟ ସରକାର ଏହି ପରୀକ୍ଷା ଓ ନିଯୁକ୍ତି ବାତିଲ୍ କରିଥିଲେ। ଏବେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ତତ୍କାଳ ରାହତ ମିଳିଛି।
