ସରକାରୀ ନିର୍ମାଣ କାମରେ ଅନିୟମିତତା, ଉଚ୍ଚସ୍ତରୀୟ ତଦନ୍ତ ଦାବି
ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଭାତଲାଇଡା ଗ୍ରାମ ପଞ୍ଚାୟତରେ ଚାଲିଥିବା ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ପାଣ୍ଠିରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଏନେଇ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି।
ଝାରସୁଗୁଡା: ସରକାରୀ ନିର୍ମାଣ କାମରେ ଅନିୟମିତତା । ଭାତଲାଇଡା ପଞ୍ଚାୟତରେ ସରକାରୀ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି । ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଭାତଲାଇଡା ଗ୍ରାମ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ ନିର୍ମାଣ କାମକୁ ନେଇ ସଙ୍ଗୀନ ଅଭିଯୋଗ ଉଠିଛି । ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ପାଣ୍ଠିରେ ନିର୍ମାଣ ହେଉଥିବା ଗ୍ରାମ ପଞ୍ଚାୟତ ସହାୟତା କେନ୍ଦ୍ର, ପ୍ରାର୍ଥନା ଗୃହ ଓ ଅନ୍ୟାନ୍ୟ ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି । ପରିଷଦର ସଦସ୍ୟ ସମ୍ବିତ ନାଏକଙ୍କ କହିବା ଅନୁଯାୟୀ, କିଛି ନିର୍ମାଣ ସ୍ଥଳରେ ବାଲି ବଦଳରେ ପାଉଁଶ ବ୍ୟବହାର କରାଯାଉଥିବାରୁ କାମର ଗୁଣବତ୍ତା ଓ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। ଏହା ସହିତ ସମ୍ପୃକ୍ତ ଅଧିକାରୀଙ୍କ ଅବହେଳା କିମ୍ବା ଚଞ୍ଚକତା ଯୋଗୁଁ ସରକାରୀ ଅର୍ଥର ଅପବ୍ୟବହାର ହେଉଥିବା ଅଭିଯୋଗ ମଧ୍ୟ କରାଯାଇଛି। ଆଞ୍ଚଳିକ ବିକାଶ ପରିଷଦ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇବା, ନିର୍ମାଣ କାମର ପୁନଃ ଯାଞ୍ଚ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତେବେ ଏହି ଅଭିଯୋଗ ନେଇ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
