ଗ୍ଲାସଗୋରେ ଭାରତୀୟଙ୍କ କମାଲ- ପଦକ ହାସଲ ଅଭିଯାନ ଜାରି
ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଜୁଲାଇ ୨୩ରୁ ଅଗଷ୍ଟ ୨ଯାଏ ଜାରି ରହିବ କମନଓ୍ୱେଲଥ ଗେମ୍ସ। ୧୨୨ ଭାରତୀୟ ଆଥଲେଟ୍ ମେଡାଲ ଜିତିବା ଆଶାରେ ମୈଦାନକୁ ଓହ୍ଲାଇଥିଲେ। ପଦକ ତାଲିକାର ଶୀର୍ଷରେ ୮୦ ମେଡାଲ ପାଇ ଅଛି ଅଷ୍ଟ୍ରେଲିଆ।

କମନଓ୍ୱେଲଥ ଗେମର ଆଜି ସପ୍ତମ ଦିନରେ ଭାରତ ଅଧିକ ପଦକ ହାସଲ ଅଭିଯାନ ଆଡ଼କୁ ମୁହାଁଉଛି। ଅନିମେଶ କୁଜୁର ୨ଶହ ମିଟର ସେମିଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ବକ୍ସିଂରେ ଭାରତକୁ ପଞ୍ଚମ ମେଡାଲ ଆସିବ ବୋଲି ଥୟ କଲେ ସାକ୍ଷୀ ଚୌଧୁରୀ। ଅନିମେଶ ପୁରୁଷ ୨୦୦ ମିଟର ସେମିଫାଇନାଲ ଲାଗି କ୍ୱାଲିଫାଏ କରିବାକୁ ୧୦ଟି ହିଟରୁ ମୋଟ୍ ୭ଟି ସ୍ଥାନ ହାସଲ କରିଛନ୍ତି। ଭାରତର ଏହି ନାସନାଲ ରେକର୍ଡଧାରୀ ଦୌଡ଼ି ୨୦.୪୬ ସେକେଣ୍ଡରେ ନିଜର ସର୍ବଶ୍ରେଷ୍ଠ ସିଜିନ୍ ଟାଇମ ହାସଲ କଲେ। ମହିଳା ୫୧ କେଜି ବର୍ଗରେ କ୍ୱାର୍ଟର ଫାଇନାଲ ମୁକାବିଲାରେ ସାକ୍ଷୀ ଚୌଧୁରୀ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିବା ପରେ ଆୟରଲ୍ୟାଣ୍ଡର କୈଟଲିନ୍ ଫ୍ରାୟର୍ସଙ୍କ ବିରୁଦ୍ଧରେ ୫-୦ରେ ପ୍ରଥମ ରାଉଣ୍ଡରୁ ହିଁ ନିଜ ନାମରେ କରାଇପାରିଲେ। ସେପଟେ ତାଜିନ୍ଦରପାଲ ସିଂ ତୁର ଦ୍ୱିତୀୟ ପ୍ରୟାସରେ ୨୦.୧୪ ମିଟରର ଥ୍ରୋ ଫିଙ୍ଗି ମେଡାଲ ରାଉଣ୍ଡର ଫାଇନାଲକୁ ସିଧା କ୍ୱାଲିଫାଏ କରିନେଇଛନ୍ତି। ସେ ଗ୍ରୁପ୍ ଏ ରେ ନ୍ୟୁଜିଲ୍ୟାଣ୍ଡର ଟମ୍ ଓ୍ୱାଲସଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଟୋମେଟିକ କ୍ୱାଲିଫିକେସନ ମାର୍କ ପାର୍ କରିବା ପରେ ତୁରଙ୍କୁ ତୃତୀୟ ପ୍ରୟାସ କରିବାକୁ ପଡିନଥିଲା। ଏହା ପୂର୍ବରୁ ପ୍ରଥମ ପ୍ରୟାସରେ ସେ ୧୯.୯୩ ମିଟରର ଥ୍ରୋ ଫିଙ୍ଗିଥିଲେ। ସେପଟେ ସମରଦୀପ ବି ସଟ୍ ଫୁଟରେ କମାଲ ପ୍ରଦର୍ଶନ କରିଛନ୍ତି। ସମରଦୀପ ସିଂ ଗିଲ ନିଜର ଦ୍ୱିତୀୟ ପ୍ରୟାସରେ ୧୯.୭୫ ମିଟରର ଥ୍ରୋ ଫିଙ୍ଗିଥିଲେ। ଯାହା ତାଙ୍କର ପ୍ରଥମ ପ୍ରୟାସରୁ କମ୍ ଥିଲା। ପ୍ରଥମନ ପ୍ରୟାସରେ ସେ ୧୯.୯୫ ମିଟର ଦୂରତାକୁ ଫିଙ୍ଗିଥିଲେ। ସେ ଗ୍ରୁପ ବି ରେ ନାଇଜେରିଆର ଚୁକୁଏବୁକା (୨୦.୦୩ ମିଟର) ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୫ରୁ ଶୀର୍ଷ ୧୨ ଖେଳାଳୀଙ୍କ ଆଗକୁ ଯିବାର ନିୟମ ଥିବାରୁ ଫାଇନାଲରେ ସମରଦୀପ ପହଞ୍ଚିବା ଥୟ। ପଦକ ବିଜେତା ଗୁଲବୀର ସିଂ ଓ ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି। ଗ୍ଲାସଗୋରେ ଚମକିଛନ୍ତି ଗୁଲବୀର। ପୁରୁଷ ୧୦ହଜାର ମିଟର ଇଭେଣ୍ଟରେ ରୌପ୍ୟପଦକ ଜିତିଛନ୍ତି ଗୁଲବୀର। ୬୯ କେଜି ମହିଳା ବର୍ଗ ଓ୍ୱେଟଲିଫଟିଂ ରେ ରୌପ୍ୟ ପଦକ ଜିତିଛନ୍ତି ହରଜିନ୍ଦର କୌର। ତେବେ ମହିଳା ୭୭ କେଜି ୱେଟଲିଫଟିଂରେ ନିରାଶ କଲେ ସଞ୍ଜନା। କମନଓ୍ୱେଲଥ ଗେମରେ ଡେବ୍ୟୁ କରୁଥିଲେ ସଞ୍ଜନା। ଗୋଟିଏ ବି ସଫଳ ପ୍ରୟାସ କରିପାରିଲେନି। ନିଜର ୩ଟି ଯାକ ପ୍ରୟାସରେ ସେ ବାରମ୍ୱାର ଫେଲ୍ ମାରିଥିଲେ। ୯୪ କେଜି ଓଜନ ସହ ତାଙ୍କର ତୃତୀୟ ତଥା ଅନ୍ତିମ ପ୍ରୟାସ ବି ଅସଫଳ ରହିଲା। ଆଉ ଏହା ସହ କମନଓ୍ୱେଲଥ ଗେମରେ ତାଙ୍କର ଅଭିଯାନ ବି ସମାପ୍ତ ହୋଇଛି। ଭାରତ ଆଜି ପର୍ଯ୍ୟନ୍ତ ୧୨ଟି ମେଡାଲ ନିଜ ନାଁରେ କରିଛି। ଏଥିରେ ଦୁଇଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ୍ ପଦକ ରହିଛି। ପଦକ ତାଲିକାରେ ଭାରତ ଏବେ ୯ ସ୍ଥାନରେ ଅଛି। ଧାବକ ଗୁଲବୀର ସିଂ ଭାରତକୁ ୧୨ତମ ମେଡାଲ ଦେଇଛନ୍ତି। ଏସିଆନ ଗେମ୍ସରେ କାଂସ୍ୟ ପଦକ ଜିତିଥିବା ଗୁଲବୀର ପୁରୁଷ ୧୦ହଜାର ମିଟରରେ ସିଲଭର ଜିତି ଇତିହାସ ରଚିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଜୁଲାଇ ୨୩ରୁ ଅଗଷ୍ଟ ୨ଯାଏ ଜାରି ରହିବ କମନଓ୍ୱେଲଥ ଗେମ୍ସ। ୧୨୨ ଭାରତୀୟ ଆଥଲେଟ୍ ମେଡାଲ ଜିତିବା ଆଶାରେ ମୈଦାନକୁ ଓହ୍ଲାଇଥିଲେ। ପଦକ ତାଲିକାର ଶୀର୍ଷରେ ୮୦ ମେଡାଲ ପାଇ ଅଛି ଅଷ୍ଟ୍ରେଲିଆ। କାନାଡ଼ା ୩୫ ମେଡାଲ, ଇଂଲଣ୍ଡ ୪୩, ସ୍କଟଲ୍ୟାଣ୍ଡ ୧୫, ନାଇଜେରିଆ ୧୨, ମାଲେସିଆ ୧୦, ଦକ୍ଷିଣ ଆଫ୍ରିକା ୧୬, ନ୍ୟୁଜିଲ୍ୟାଣ୍ଡ ୧୩ ମେଡାଲ ପାଇଛି।
