ପୁଣି ହ୍ୟାଣ୍ଡସେକ୍ ବିବାଦରେ ଭାରତ-ପାକିସ୍ତାନ
ମ୍ୟାଚ୍ ପୂର୍ବରୁ ହ୍ୟାଣ୍ଡଶେକ୍ ବିବାଦ ନେଇ ପଚରାଯିବାରୁ ହରମନପ୍ରୀତ କୌର ଏହି ପ୍ରସଙ୍ଗରେ ବିଶେଷ ମତ ରଖିନଥିଲେ।ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଏବଂ ପାକିସ୍ତାନ ଅଧିନାୟିକା ଫାତିମା ସନା ଟସ୍ ସମୟରେ ପାରମ୍ପରିକ ହ୍ୟାଣ୍ଡଶେକ୍ କରିନଥିଲେ।

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଏବଂ ପାକିସ୍ତାନ ଅଧିନାୟିକା ଫାତିମା ସନା ଟସ୍ ସମୟରେ ପାରମ୍ପରିକ ହ୍ୟାଣ୍ଡଶେକ୍ କରିନଥିଲେ। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଅନେକ କ୍ରିକେଟ୍ ପ୍ରେମୀ ଏହାକୁ ଖେଳ ପରିସର ବାହାରର ଭାରତ-ପାକିସ୍ତାନ କୂଟନୈତିକ ତିକ୍ତତା ସହ ଯୋଡ଼ି ଦେଖିଥିଲେ। ସମ୍ପ୍ରତି ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ ସୁରକ୍ଷା ସମ୍ପର୍କୀୟ ତିକ୍ତତା ବଢ଼ିଥିବାରୁ ଭାରତୀୟ ଦଳ ଏପରି ମ୍ୟାଚ୍ରେ ହ୍ୟାଣ୍ଡଶେକ୍ ନ କରିବାର ଏକ ଅଘୋଷିତ ନୀତି ଅନୁସରଣ କରୁଥିବା ଚର୍ଚ୍ଚା ହେଉଛି। ଏହାକୁ ଦୁଇ ଖେଳାଳିଙ୍କ ବ୍ୟକ୍ତିଗତ ସମ୍ପର୍କ ସହ ନ ଯୋଡ଼ି, ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟାପକ ପରିସ୍ଥିତିର ପ୍ରଭାବ ବୋଲି ଦେଖାଯାଉଛି। ମ୍ୟାଚ୍ ପୂର୍ବରୁ ହ୍ୟାଣ୍ଡଶେକ୍ ବିବାଦ ନେଇ ପଚରାଯିବାରୁ ହରମନପ୍ରୀତ କୌର ଏହି ପ୍ରସଙ୍ଗରେ ବିଶେଷ ମତ ରଖିନଥିଲେ। ସେ କହିଥିଲେ ଯେ ଭାରତୀୟ ଦଳର ଲକ୍ଷ୍ୟ କେବଳ କ୍ରିକେଟ୍ ଖେଳିବା ଓ ମ୍ୟାଚ୍ ଜିତିବା। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଭାରତ ଓ ପାକିସ୍ତାନ ମହିଳା ଦଳ ମଧ୍ୟରେ ହୋଇଥିବା ଏକ ଆନ୍ତର୍ଜାତୀୟ ମ୍ୟାଚ୍ରେ ଏଭଳି ହ୍ୟାଣ୍ଡଶେକ୍ ଏଡ଼ାଇ ଦିଆଯାଇଥିବା ଦେଖାଯାଇଥିଲା। ଫଳରେ ଏଥରର ଘଟଣା ନୂଆ ବିବାଦ ସୃଷ୍ଟି କରିବା ପରିବର୍ତ୍ତେ ପୂର୍ବରୁ ଚାଲିଆସୁଥିବା ଏକ ପ୍ରବୃତ୍ତିର ଅଂଶ ବୋଲି ମନେ କରାଯାଉଛି। ଏହି ବିବାଦ ମଧ୍ୟରେ ମ୍ୟାଚ୍ରେ ଭାରତ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୬୪ ରନରେ ପରାସ୍ତ କରିଥିଲା। ଭାରତୀୟ ବ୍ୟାଟରମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମଧ୍ୟ ଦଳ ଆଧିପତ୍ୟ ଦେଖାଇଥିଲା।
