Land Encroachment:ଜବରଦଖଲର ନୂଆ ତରିକା: ଚାଳିଆରୁ ପକ୍କା ଘର
୪୨-ମୌଜା ଓ ସଦର ଅଞ୍ଚଳରେ ଜରିପାଲରୁ ପକ୍କା ଘର ପର୍ଯ୍ୟନ୍ତ ଜବରଦଖଲ ନେଇ ଅଭିଯୋଗ | ଜବରଦଖଲ ରୋକିବାରେ ତହସିଲ ପ୍ରଶାସନର ଭୂମିକା ଏବଂ କଥିତ ଜମି ଦଲାଲଙ୍କ ସମ୍ପୃକ୍ତି ନେଇ ତଦନ୍ତ ଦାବି |

ସରକାରୀ ଜମିରେ ଜବରଦଖଲ | ପ୍ରଥମେ ଜରିପାଲ ପକାଇ ଅସ୍ଥାୟୀ ଚାଳିଆ, ପରେ ଝୋମ୍ପଡ଼ି ଘର ଏବଂ ଧୀରେ ଧୀରେ ପକ୍କା ଘର। ଏଭଳି ଭାବେ ସରକାରୀ ଜମି ଜବରଦଖଲ କରି ସ୍ଥାୟୀ ଭାବେ ବସବାସ କରାଯାଉଥିବା ଅଭିଯୋଗ ହୋଇଛି। କଟକ ସହର ଉପକଣ୍ଠ ୪୨-ମୌଜା ଓ ସଦର ଅଞ୍ଚଳରେ ଏଭଳି ଅଭିଯୋଗକୁ ନେଇ ଅସନ୍ତୋଷ ତେଜିଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଅନେକ ସରକାରୀ ଜମିକୁ ବାହାର ଅଞ୍ଚଳର କିଛି ପରିବାର ଜବରଦଖଲ କରିଥିବା ଅଭିଯୋଗ ରହିଛି। ଏହାକୁ ବିରୋଧ କରିବାରୁ ସ୍ଥାନୀୟ ଲୋକଙ୍କ ବିରୋଧରେ ଜାତିଆଣ ମାମଲା କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଅନ୍ୟପଟେ, ସରକାରୀ ଜମି ଜବରଦଖଲ ରୋକିବାରେ ତହସିଲ ପ୍ରଶାସନର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏପରିକି ଜବରଦଖଲକାରୀମାନେ ଟଙ୍କା ଦେଇ ସରକାରୀ ଜମି କିଣିଥିବା ଦାବି କରୁଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛରେ କଥିତ ଜମି ଦଲାଲଙ୍କ ଭୂମିକା ଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହି ସମସ୍ତ ଅଭିଯୋଗର ତଦନ୍ତ କରି ସରକାରୀ ଜମି ଜବରଦଖଲ ଉପରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବ, ତାହା ଏବେ ବଡ଼ ପ୍ରଶ୍ନ।
