ବେଟିଂ ଓ ମ୍ୟାଚଫିକ୍ସିଂ ପାଇଁ ବାଦ୍ ପଡ଼ିଲେ ଷ୍ଟାର ଫୁଟବଲର!
ମେ ମାସରେ ଖେଳାଯାଇଥିବା ଲିଗ-୧ ଲଢ଼େଇରେ ଓ୍ୱାହିଙ୍କୁ ୟେଲୋ କାର୍ଡ ମିଳିଥିଲା। ଆଉ ଏହି କାର୍ଡ ମିଳିବାକୁ ନେଇ ଅନ୍ତରାଷ୍ଟ୍ରୀୟସ୍ତରରେ ଅସ୍ୱାଭାବିକ ଭାବେ ବାଜି ଲଗାଯାଇଥିଲା।

ଫିଫି ବିଶ୍ୱକପ ଭିତରେ ଫସିଲେ ଷ୍ଟାର ଖେଳାଳୀ। କାନାଡା ଯିବା ଉପରେ ଲାଗିଲା ପ୍ରତିବନ୍ଧକ। ମ୍ୟାଚ୍ ଫିକ୍ସିଂ ମାମଲାରେ ପଡ଼ିଲେ ଅଡୁଆରେ। ଆଇଭରି କୋଷ୍ଟର ଷ୍ଟାର ଷ୍ଟ୍ରାଇକର ଏଲିଏ ଓ୍ୱାହିଙ୍କୁ ଜର୍ମାନୀ ବିରୁଦ୍ଧରେ ବିଶ୍ୱକପ୍ ଖେଳିବାକୁ ଅନୁମତି ମିଳିଲାନି। ଫ୍ରାନ୍ସରେ ସନ୍ଦିଗ୍ଧ ଜୁଆ ଓ ମ୍ୟାଚ୍ ଫିକ୍ସିଂ ତଦନ୍ତ ଭିତରେ ଏଭଳି ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଅବଶ୍ୟ ଆଇଭୋରି କୋଷ୍ଟ ଫୁଟବଲ ମହାସଂଘ ଖେଳାଳୀଙ୍କ ଉପରେ ଭରସା କରି କହିଛି, ଏବେ ବି ସେ ରାଷ୍ଟ୍ରୀୟ ଟିମର ପ୍ରମୁଖ ପାର୍ଟ। ଓ୍ୱାହି ଟିମ୍ ସହ କାନାଡ଼ା ଯାଇପାରିବେନି। ମହାସଂଘର କହିବା କଥା, ଖେଳାଳୀଙ୍କୁ କାନାଡାରେ ପ୍ରବେଶ ଲାଗି ଜରୁରୀ ପ୍ରଶାସନିକ ମଞ୍ଜୁରୀ ମିଳିଲାନି। ଏହି କାରଣରୁ ଶନିବାର ଟରୋଣ୍ଟୋରେ ଜର୍ମାନୀ ବିରୁଦ୍ଧରେ ହେବାକୁ ଥିବା ମୁକାବିଲାରେ ସେ ଭାଗ ନେଇପାରିବେନି। ୨୩ ବର୍ଷୀୟ ଓ୍ୱାହି ସୋମବାର ଫିଲାଡେଲଫିଆରେ ଇକ୍ୱାଡୋର ବିରୁଦ୍ଧରେ ଖେଳାଯାଇଥିବା ମୁକାବିଲାରେ ଆଇଭରି କୋଷ୍ଟ ପାଇଁ ପ୍ରାରମ୍ଭିକ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଥିଲେ। ସେ ମ୍ୟାଚରେ ଆଇଭରି କୋଷ୍ଟ ୧-୦ରେ ଜିତ୍ ହାସଲ କରିଥିଲା। ଏବେ ଏହି ଟିମ୍ ଦେଶକୁ ଫେରିବା ଯାଏ ଆମେରିକାରେ ରହିବେ। ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଲା। ଯେବେ ଫ୍ରେଞ୍ଚ ଫୁଟବଲ ଲିଗ ଖୁଲାସା କରିଥିଲା ଯେ, ମେ ମାସରେ ଖେଳାଯାଇଥିବା ଲିଗ-୧ ଲଢ଼େଇରେ ଓ୍ୱାହିଙ୍କୁ ୟେଲୋ କାର୍ଡ ମିଳିଥିଲା। ଆଉ ଏହି କାର୍ଡ ମିଳିବାକୁ ନେଇ ଅନ୍ତରାଷ୍ଟ୍ରୀୟସ୍ତରରେ ଅସ୍ୱାଭାବିକ ଭାବେ ବାଜି ଲଗାଯାଇଥିଲା। ଏହି ମୁକାବିଲା ମେ ୧୭ରେ ନିସ ଓ ମାଣ୍ଟେଜ୍ ଭିତରେ ଖେଳାଯାଇଥିଲା। ମ୍ୟାଚ ୦-୦ରେ ଡ୍ର ରହିଲା। ଫ୍ରେଞ୍ଚ ଲିଗ ଅନୁସାରେ ବେଟିଂ ମାର୍କେଟ ଏହି ସନ୍ଦିଗ୍ଧ ଗତିବିଧିର ସୂଚନା ଦେଇଥିଲା। ଏହା ପରେ ମାମଲାକୁ ପୁଲିସ, ଜୁଆ ନିୟାମକ ଏଜେନ୍ସି ଓ ଫ୍ରେଞ୍ଚ୍ ଫୁଟବଲ ଫେଡେରେସନକୁ ଦିଆଯାଇଥିଲା। ସେତେବେଳେ ଓ୍ୱାହିଙ୍କ ବିରୁଦ୍ଧରେ କୌଣସି ନ୍ୟାୟିକ ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଅଧିକାରୀକ ସୂଚନା ମିଳିନଥିଲା। ତେବେ ଏଭଳି ସମ୍ୱେଦନଶୀଳ ମାମଲାରେ ସେ ଓ୍ୱାହିଙ୍କ ସହ ରହିଛି ବୋଲି କହିଛି ମହାସଂଘ।
