ମାଲବୀୟନଗର ଅଗ୍ନିକାଣ୍ଡ- ୨୧ ମୃତ
ଲିଫ୍ଟ ପାଖରେ କେବଳ ଗୋଟିଏ ପାହାଚ ଥିଲା। ବାଥରୁମ୍ ସମେତ ପ୍ରତି ଘରର ଝରକାକୁ ବାନ୍ଧି ଦିଆଯାଇଥିଲା। ପୁରା ଗେଷ୍ଟହାଉସ କାଚରେ ପ୍ୟାକିଂ ଥିଲା। ନିଆଁ ଲାଗିବା ପରେ ପୁରା ବିଲଡିଂ ଚିମନୀ ଭାବେ କାମ କରିଥିଲା।

ମାଲବୀୟନଗର ଅଗ୍ନିକାଣ୍ଡ- ୨୧ ମୃତ
ଦିଲ୍ଲୀର ମାଲବୀୟ ନଗର ଭୟାବହ ଅଗ୍ନିକାଣ୍ଡରେ ୨୧ଜଣଙ୍କ ଜୀବନ ଯାଇଛି। ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ରେସକ୍ୟୁ ବେଳେ ଆହତ ୧୦ ଅଗ୍ନିଶମ କର୍ମଚାରୀଙ୍କୁ ବି ଏମ୍ସରେ ଭର୍ତ୍ତି କରାଯାଇଛି। ନିଆଁର ଧୂଆଁରେ ସେମାନେ ବି ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଅଧିକାଂଶ ମୃତକ ବିଦେଶୀ। ଜୀବନ ବଞ୍ଚାଇବାକୁ ଲୋକେ ୬ ମହଲା ବିଲଡିଂ ଉପରୁ ଡେଇଁଥିଲେ। କାରଣ ବେସମେଣ୍ଟ ତଳେ ତାଲା ପଡ଼ିଥିଲା। ୧୫ ରୋଗୀ ଆଇସିୟୁରେ ଓ ୮ଜଣ ଭେଣ୍ଟିଲେଟରରେ ଅଛନ୍ତି। ସାମାନ୍ୟ ଆହତ ହୋଇଥିଲା ୫ଜଣଙ୍କୁ ଛାଡ଼ିଦିଆଯାଇଛି। ଏହି ରେଷ୍ଟୁରାଣ୍ଟରେ ଅଗ୍ନିନିରାପତ୍ତାର ବ୍ୟବସ୍ଥା ନଥିଲା। ରୋଷେଇ ଘରୁ ଲାଗିଥିବା ନିଆଁ ଉପର ମହଲା ଯାଏ ବ୍ୟାପିଥିଲା। ଉଚିତ୍ ଭେଣ୍ଟିଲେସନ ପାଇଁ ବା ଧୂଆଁ ନିର୍ଗତ ଲାଗି ଗୋଟିଏ ବି ଝରକା ନଥିଲା। ଫଳରେ ପୁରା ବିଲଡିଂରେ ଧୂଆଁ ଭରିଗଲା। ପୁରା ମହଲାରେ କେବଳ ଗୋଟିଏ ସିଡ଼ି ଓ ଗୋଟିଏ ଏଲିଭେଟର ଥିଲା। ଲିଫ୍ଟ ପାଖରେ କେବଳ ଗୋଟିଏ ପାହାଚ ଥିଲା। ବାଥରୁମ୍ ସମେତ ପ୍ରତି ଘରର ଝରକାକୁ ବାନ୍ଧି ଦିଆଯାଇଥିଲା। ପୁରା ଗେଷ୍ଟହାଉସ କାଚରେ ପ୍ୟାକିଂ ଥିଲା। ନିଆଁ ଲାଗିବା ପରେ ପୁରା ବିଲଡିଂ ଚିମନୀ ଭାବେ କାମ କରିଥିଲା। ଗୁରୁଗ୍ରାମର ଗୋଟିଏ ପରିବାରର ୮ଜଣଙ୍କ ଜୀବନ ଯାଇଛି। ଗୁରୁଗ୍ରାମ ନିବାସୀ ବିବେକ, ତାଙ୍କ ପତ୍ନୀ, ଦୁଇ ଝିଅ, ମାଆ, ବେମାର ବାପା, ମଉସା, ମାଉସୀ ଓ ମାମୁଁ ଏ ନିଆଁରେ ଜଳିଯାଇଛନ୍ତି। ମୋଟ୍ ୭୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବି ଦୁଃଖପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏହି ଗେଷ୍ଟହାଉସ ଦିଲ୍ଲୀ ସରକାରଙ୍କ ବେଡ୍ ଆଣ୍ଡ ବ୍ରେକଫାଷ୍ଟ ସ୍କିମରେ ଚାଲୁଥିଲା। ହୋଟେଲର ନାଁ ଫ୍ଲୋରିସ ଷ୍ଟେଜ୍। ହୋଟେଲ ମାଲିକ ଲୋକେଶ ବଜାଜଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ୩ଜଣଙ୍କ ପାର୍ଟନରସିପରେ ଏହି ହୋଟେଲର ପରିଚାଳନା ଚାଲିଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ଏଲଜି ଜରୁରୀକାଳୀନ ବୈଠକ ଡାକିଛନ୍ତି। ଅଗ୍ନିକାଣ୍ଡର କାରଣକୁ ନେଇ ରିପୋର୍ଟ ତଲବ କରିଛନ୍ତି ଏଲଜି। ସଂପୃକ୍ତ ଗେଷ୍ଟହାଉସର ଏନଓସି ଥିଲା କି ନାହିଁ, ତାକୁ ନେଇ ପ୍ରଶ୍ନ କରିଛନ୍ତି। ଏ ଅଗ୍ନିକାଣ୍ଡକୁ ନେଇ ଦିଲ୍ଲୀ ରାଜନୀତି ବି ବେଶ୍ ସରଗରମ ହୋଇଛି। ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଯିଏ ବି ଦୋଷୀ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ବିବେକବିହାରରେ ଗଲା ମାସ ୩ ତାରିଖରେ ଏସି ବିସ୍ଫୋରଣରୁ ୪ ମହଲା କୋଠାରେ ନିଆଁ ଲାଗିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୧୮ରେ ପାଲମରେ ୫ମହଲା କୋଠାରେ ନିଆଁ ଲାଗିବାରୁ ୯ ଜଣଙ୍କ ଜୀବନ ଯାଇଥିଲା।
