ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଏମଭି କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆ
ଭୁବନେଶ୍ୱର: ଏମଭି କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଶୁକ୍ରବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଭଉଣୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଏମଭି କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଶୁକ୍ରବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଭଉଣୀ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ବ୍ରହ୍ମପୁର ବିଜିପୁର ଅଞ୍ଚଳରେ ଥିବା ପୁଲିସ କ୍ୱାର୍ଟର୍ସରେ ଆଶୁତୋଷ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାରୁ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନଙ୍କ ନିରନ୍ତର ପ୍ରୟାସ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଦୁଇ ଦିନ ତଳେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ଆଶୁତୋଷ ମୃଦଙ୍ଗିଆ କିଛି ଗୁରୁତର ଅଭିଯୋଗ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ନିଜ ସ୍ତ୍ରୀ ଓ ଶାଳକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ଆଶୁତୋଷ ମୃଦଙ୍ଗିଆ ଓଏମଭିଡିରେ କନଷ୍ଟେବଲ୍ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ପୁଲିସ ବିଭାଗ ଓ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
