ସୁବର୍ଣ୍ଣରେଖାରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ, ୯ଟି ହାଇୱା ଜବଦ
ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ମଧ୍ୟରେ ଜଳେଶ୍ୱର ଖଣି ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉରେ ୯ଟି ବାଲି ବୋଝେଇ ହାଇୱା ଜବତ ହୋଇଥିବା ବେଳେ ୧୫ରୁ ଅଧିକ ଗାଡ଼ି ଖସି ପଳାଇବାରେ ସକ୍ଷମ ହୋଇଛି।
ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ମଧ୍ୟରେ ଜଳେଶ୍ୱର ଖଣି ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉରେ ୯ଟି ବାଲି ବୋଝେଇ ହାଇୱା ଜବତ ହୋଇଥିବା ବେଳେ ୧୫ରୁ ଅଧିକ ଗାଡ଼ି ଖସି ପଳାଇବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀର ବିଭିନ୍ନ ଘାଟରୁ ପ୍ରତିଦିନ ବେଆଇନ ଭାବେ ବହୁ ପରିମାଣର ବାଲି ଉତ୍ତୋଳନ କରାଯାଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଛି। ଗତରାତି ୨୫ରୁ ଅଧିକ ହାଇୱାରେ ବାଲି ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଜଳେଶ୍ୱର ଜୁନିୟର ଖଣି ଅଧିକାରୀ ତାପସ କୁମାର ବେହେରା ତୁରନ୍ତ ପଦକ୍ଷେପ ନେଇଥିଲେ। ୧୬ ନମ୍ବର ଜାତୀୟ ରାଜପଥର ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରାଯାଇଥିବା ବେଳେ ଗାଡ଼ିଗୁଡ଼ିକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ୧୫ରୁ ଅଧିକ ହାଇୱା ଦ୍ରୁତ ଗତିରେ ଖସି ପଳାଇଥିବା ବେଳେ ୯ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି। ଚଢ଼ାଉ ବେଳେ ଜଣେ ହାଇୱା ଚାଳକ ଅଧିକାରୀଙ୍କ ଗାଡ଼ି ଉପରକୁ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପରେ ସମ୍ପୃକ୍ତ ଚାଳକଙ୍କୁ ଅଟକ ରଖାଯାଇ ପୁଲିସ ଜିମା ଦିଆଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ଗାଡ଼ିଗୁଡ଼ିକ ବିରୋଧରେ ଖଣି ଓ ପରିବହନ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେଆଇନ ବାଲି ଚାଲାଣ ଉପରେ ଆଗାମୀ ଦିନରେ ଆହୁରି କଡ଼ା ନଜର ରଖାଯିବ ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

