୧୩ ମହଲାରୁ ଡେଇଁ ଜୀବନ ହାରିଲେ ୨୨ ବର୍ଷୀୟ ଡେଲିଭରି ବୟ
ଗୁଜରାଟର ବଲସାଡ୍ ସହରରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପରିବାର ପ୍ରତିପୋଷଣ ପାଇଁ ଦିନରାତି ଏକ କରିଦେଇଥିବା ଜଣେ ୨୨ ବର୍ଷୀୟ ଡେଲିଭରି ବୟ ଏକ ଆବାସିକ ବିଲଡିଂର ୧୩ ମହଲାରୁ ଡେଇଁ ନିଜର ଜୀବନ ହାରିଛନ୍ତି।
ଗୁଜରାଟର ବଲସାଡ୍ ସହରରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପରିବାର ପ୍ରତିପୋଷଣ ପାଇଁ ଦିନରାତି ଏକ କରିଦେଇଥିବା ଜଣେ ୨୨ ବର୍ଷୀୟ ଡେଲିଭରି ବୟ ଏକ ଆବାସିକ ବିଲଡିଂର ୧୩ ମହଲାରୁ ଡେଇଁ ନିଜର ଜୀବନ ହାରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତ ଯୁବକଙ୍କ ନାମ ମାନବ ପଟେଲ ବୋଲି ଜଣାପଡ଼ିଛି। ପ୍ରାୟ ଦେଢ଼ ବର୍ଷ ତଳେ ତାଙ୍କ ପିତାଙ୍କ ଦେହାନ୍ତ ହେବା ପରେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ନିଜର ବିଧବା ମାଆ ଏବଂ ସାନ ଭଉଣୀର ଯତ୍ନ ନେବା ସହ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେ ପ୍ରତିଦିନ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରୁଥିଲେ। ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ତିଥଲ ରୋଡ୍ରେ ଥିବା ଏକ ଆବାସିକ ସୋସାଇଟିରେ ଏହି ଘଟଣା ଘଟିଛି । ବିଲଡିଂର ଉପର ମହଲାରୁ ଯୁବକ ଜଣକ ତଳକୁ ଖସିପଡ଼ିବା ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ିଯାଇଥିଲେ । ଜରୁରୀକାଳୀନ ସେବାକୁ ଡକାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ବିଲଡିଂର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛି । ଘଟଣାର କିଛି ସମୟ ପୂର୍ବରୁ ମାନବ ୧୩ ମହଲାର ଲବିରେ ବୁଲାବୁଲି କରୁଥିବା, ନିଜ ମୋବାଇଲ୍ ଫୋନ୍ ଦେଖୁଥିବା ଏବଂ ପାସେଜ୍ ଆଡକୁ ଚାହୁଁଥିବା ଭିଡିଓରେ ଦେଖିବାକୁ ମିଳିଛି। ସମ୍ପର୍କୀୟମାନେ ମାନବଙ୍କୁ ଜଣେ ପରିଶ୍ରମୀ ଏବଂ ଦାୟିତ୍ୱବାନ ଯୁବକ କରିଛନ୍ତି, ଯିଏ ଖୁବ୍ କମ୍ ବୟସରେ ପରିବାରର ସମସ୍ତ ବୋଝ ନିଜ କାନ୍ଧକୁ ନେଇଥିଲେ । ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏକାଧିକ କାମ କରୁଥିଲେ ଏବଂ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟସ୍ତ ରହୁଥିଲେ। ପରିବାରର ଭବିଷ୍ୟତ ଉଜ୍ଜ୍ୱଳ କରିବାକୁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ଭଲ ସୁଯୋଗର ସନ୍ଧାନରେ ଥିଲେ। କିନ୍ତୁ ପିତାଙ୍କ ମୃତ୍ୟୁ ପରଠାରୁ ଦୈନନ୍ଦିନ ଜୀବନର ସଂଘର୍ଷ ଏବଂ ଆର୍ଥିକ ଚାପ ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା। ଏହି ଖବର ପାଇବା ପରେ ମାନବଙ୍କ ମାଆ ଏବଂ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାରର ସବୁଠାରୁ ବଡ଼ ସାହାରା ଚାଲିଯାଇଥିବା ଜାଣି ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଅଧିକ ପଚରାଉଚରା ଜାରି ରହିଛି। ଏହି ଦୁଃଖଦ ଘଟଣା ଆଜିର ଯୁବପିଢ଼ି ଓ ଶ୍ରମିକମାନଙ୍କ ଉପରେ ଥିବା ପରିବାରର ମାନସିକ ଏବଂ ଆର୍ଥିକ ଚାପକୁ ପୁଣି ଥରେ ସାମ୍ନାକୁ ଆଣିଛି।

