ଅଟୋ ଭିତରୁ ୧୫୫ କଇଁଛ ଉଦ୍ଧାର
ମାଲକାନଗିରିରେ ବନ ବିଭାଗର ବଡ଼ ଚଢ଼ାଉ: ୧୫୫ ଦୁର୍ଲଭ ଫ୍ଲାପ୍-ସେଲ୍ କଇଁଛ ଜବତ । ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ଅଟୋ ଚାଳକ ଫେରାର, ବନ ବିଭାଗର ତଦନ୍ତ ଜାରି ।
ମାଲକାନଗିରି: ବନ୍ୟପ୍ରାଣୀ ଚୋରାଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା ମିଳିଛି। ତାମସା ଗ୍ରାମ ନିକଟରେ ଚଢ଼ାଉ କରି ବନ ବିଭାଗ ୧୫୫ଟି ଜୀବନ୍ତ ଦୁର୍ଲଭ ଫ୍ଲାପ୍-ସେଲ୍ କଇଁଛ ଉଦ୍ଧାର କରିଛି। ଏହାସହ ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋରିକ୍ସାକୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗୁପ୍ତ ସୂତ୍ରରୁ ଖବର ପାଇ ଗତକାଲି ମାଲକାନଗିରି-୧ ବିଟ୍ ଅଧୀନ ତାମସା ଗ୍ରାମ ନିକଟରେ ବନ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଅଟୋରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ଟିମ୍ ଜାଣିବାକୁ ପାଇଥିଲା। ବନ ବିଭାଗର ଗାଡ଼ିକୁ ଦେଖି ଅଟୋ ଚାଳକ ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପରେ ବନ କର୍ମଚାରୀମାନେ ଅଟୋରିକ୍ସାଟିକୁ ଯାଞ୍ଚ କରିବାରୁ ସେଥିରୁ ୧୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଛ ଉଦ୍ଧାର ହୋଇଥିଲା। କଇଁଛଗୁଡ଼ିକୁ ଉଦ୍ଧାର କରିବା ସହ ଚୋରାଚାଲାଣରେ ବ୍ୟବହୃତ ଅଟୋରିକ୍ସାକୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ମାଲକାନଗିରି ବନଖଣ୍ଡ ପକ୍ଷରୁ ଏକ UD ମାମଲା ରୁଜୁ କରାଯାଇଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
