୧୭ଟି ଜିଲ୍ଲା ଜଗିବେ ୧୫ ଆଇପିଏସ ଅଫିସର
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ଏବଂ ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ଧରଣର ପଦକ୍ଷେପ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ୧୭ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି ।

ଭୁବନେଶ୍ୱର:୧୫ବରିଷ୍ଠ ଆଇପିଏସ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ଏବଂ ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବଡ଼ ଧରଣର ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ୧୭ଟି ଗୁରୁତ୍ୱପୂର୍ଣ୍ଣ ତଥା ଅପରାଧ ପ୍ରବଣ ଜିଲ୍ଲାର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଆଜି ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦକ୍ଷେପ ଅନୁଯାୟୀ, ଏଡିଜି (ADG) ଏବଂ ଆଇଜି (IG) ପାହ୍ୟାର ବରିଷ୍ଠ ଅଧିକାରୀମାନେ ସିଧାସଳଖ ଜିଲ୍ଲା ଗସ୍ତ କରିବେ। ବିଶେଷ କରି ବିଭିନ୍ନ ଥାନାରେ ଘଟୁଥିବା ‘ଥାର୍ଡଡିଗ୍ରୀ’ ବା ପୋଲିସ ନିର୍ଯାତନା ବିଗତ କିଛି ମାସ ଧରି ହାଜତ ମୃତ୍ୟୁ, ଭିଡ଼ ହିଂସା ଏବଂ ଅପରାଧୀଙ୍କ ବଢୁଥିବା ଦୌରାତ୍ମ୍ୟକୁ ନେଇ ଅଭିଯୋଗର ସେମାନେ ତଦନ୍ତ କରିବେ ଏବଂ ଏହି ସମ୍ପର୍କିତ ଗୁପ୍ତ ଓ ନିରପେକ୍ଷ ରିପୋର୍ଟ ସିଧାସଳଖ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ହସ୍ତାନ୍ତର କରିବେ । ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଗ୍ରାଫ୍କୁ ନିୟନ୍ତ୍ରଣ କରିବା, ମାଓ ମୁକାବିଲାକୁ ଜୋରଦାର କରିବା ଏବଂ ଥାନାରେ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ପୋଲିସର ଜବାବଦେହିତା ବଢ଼ାଇବା ଏହି ମାଷ୍ଟରପ୍ଲାନର ମୂଳ ଲକ୍ଷ୍ୟ ଅଟେ। ।ଅପରାଧ ପ୍ରବଣ ଚିହ୍ନଟ ହୋଇଥିବା ୧୭ଟି ଜିଲ୍ଲା ଜଗିବେ୧୫ଆଇପିଏସ ଅଫିସର । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱ, ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ ଦିଆଯାଇଛି । ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର ଜିଲ୍ଲା ଦାୟିତ୍ୱ, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର ଦାୟିତ୍ବ ଦିଆଯାଇଛି । ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ୍ . ସାଇନିଙ୍କୁ ବଲାଙ୍ଗୀର, ଆଇଜି ଏସ୍ .ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁଙ୍କୁ ପୁରୀ, ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସନ୍ତା ଜୁଲାଇ ମାସରୁ ଏହି ବରିଷ୍ଠ ଅଧିକାରୀମାନେ ଜିଲ୍ଲାଗୁଡ଼ିକରେ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ। ଯାଞ୍ଚ ଶେଷ ହେବାର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି।
