ଦିଲ୍ଲୀ ବିମାନବନ୍ଦରରେ ଝଡ଼ତାଣ୍ଡବ- ୩ ଏୟାରଇଣ୍ଡିଆ ବିମାନ କ୍ଷତିଗ୍ରସ୍ତ
ଘଟଣା ପରେ ଏୟାର ଇଣ୍ଡିଆ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତ ବିମାନକୁ ତୁରନ୍ତ ସେବାରୁ ହଟାଇ ଯାଞ୍ଚ ପାଇଁ ପଠାଯାଇଛି। ପ୍ରାଥମିକ ଯାଞ୍ଚରେ ଦୁଇଟି ବିମାନର କ୍ଷତି ଅଳ୍ପ ଥିବାରୁ ମରାମତି ପରେ ସେଗୁଡ଼ିକୁ ପୁଣି ଉଡ଼ାଣ ପାଇଁ ପ୍ରସ୍ତୁତ କରାଯିବ। ତେବେ ତୃତୀୟ ବିମାନଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ କିଛି ଦିନ ପର୍ଯ୍ୟନ୍ତ ଗ୍ରାଉଣ୍ଡେଡ୍ ରଖାଯାଇପାରେ।

ଦିଲ୍ଲୀ ବିମାନବନ୍ଦରରେ ଝଡ଼ ତାଣ୍ଡବ। ଏୟାର ଇଣ୍ଡିଆର ୩ଟି ବିମାନ ହୋଇଛି କ୍ଷତିଗ୍ରସ୍ତ। ଦିଲ୍ଲୀରେ ହଠାତ୍ ଆସିଥିବା ପ୍ରବଳ ଝଡ଼ବର୍ଷା ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (IGI) ବିମାନବନ୍ଦରରେ ଏୟାର ଇଣ୍ଡିଆର ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି। ବିମାନଗୁଡ଼ିକ ଟର୍ମିନାଲ-୨ ନିକଟରେ ପାର୍କିଂ ଅବସ୍ଥାରେ ଥିଲା। ଆଉ ପ୍ରବଳ ପବନରେ ଉଡ଼ି ଯାଇଥିବା ଗ୍ରାଉଣ୍ଡ ସପୋର୍ଟ ଉପକରଣ ଗୁଡ଼ିକ ବିମାନ ସହ ଧକ୍କା ଖାଇଥିଲା। ରବିବାର ଅପରାହ୍ନ ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ଏହା ଘଟିଥିଲା। ହଠାତ୍ ପ୍ରବଳ ପବନ ବହିବାରୁ ବିମାନବନ୍ଦର ପରିସରରେ ରହିଥିବା ଷ୍ଟେପ୍-ଲାଡର, ଗ୍ରାଉଣ୍ଡ ସର୍ଭିସ୍ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ନିୟନ୍ତ୍ରଣ ହରାଇ ଉଡ଼ିଯାଇଥିଲା। ଏହି ଉପକରଣଗୁଡ଼ିକ ଏୟାର ଇଣ୍ଡିଆର ତିନୋଟି ନ୍ୟାରୋ-ବଡି ବିମାନକୁ ଧକ୍କା ଦେବାରୁ ସେଗୁଡ଼ିକର ବାହ୍ୟ ଅଂଶରେ କ୍ଷତି ଘଟିଛି। ଘଟଣା ପରେ ଏୟାର ଇଣ୍ଡିଆ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତ ବିମାନକୁ ତୁରନ୍ତ ସେବାରୁ ହଟାଇ ଯାଞ୍ଚ ପାଇଁ ପଠାଯାଇଛି। ପ୍ରାଥମିକ ଯାଞ୍ଚରେ ଦୁଇଟି ବିମାନର କ୍ଷତି ଅଳ୍ପ ଥିବାରୁ ମରାମତି ପରେ ସେଗୁଡ଼ିକୁ ପୁଣି ଉଡ଼ାଣ ପାଇଁ ପ୍ରସ୍ତୁତ କରାଯିବ। ତେବେ ତୃତୀୟ ବିମାନଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ କିଛି ଦିନ ପର୍ଯ୍ୟନ୍ତ ଗ୍ରାଉଣ୍ଡେଡ୍ ରଖାଯାଇପାରେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ୱା ବିମାନବନ୍ଦର କର୍ମଚାରୀ ଆହତ ହୋଇନାହାନ୍ତି। ବିମାନଗୁଡ଼ିକ ପାର୍କିଂ ଅବସ୍ଥାରେ ଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ଏହି ଘଟଣା ପରେ ଏୟାର ଇଣ୍ଡିଆ, ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରବଳ ପବନ ଆସିବା ପୂର୍ବରୁ ପର୍ଯ୍ୟାପ୍ତ ପାଣିପାଗ ସତର୍କ ସୂଚନା ମିଳିଥିଲା କି ନାହିଁ ଓ ଗ୍ରାଉଣ୍ଡ ଉପକରଣଗୁଡ଼ିକୁ ଠିକ୍ ଭାବରେ ସୁରକ୍ଷିତ କରାଯାଇଥିଲା କି ନାହିଁ, ତାହାର ମଧ୍ୟ ତଦନ୍ତ ହେଉଛି। ସୋସିଆଲ୍ ମିଡିଆରେ ଘଟଣାର କିଛି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ସେଥିରେ ଏକ ଯାତ୍ରୀ ଚଢ଼ିବା ସିଢ଼ି ପ୍ରବଳ ପବନରେ ଉଡ଼ି ଯାଇ ଏକ ପାର୍କିଂ ବିମାନକୁ ଧକ୍କା ଦେଉଥିବା ଦେଖାଯାଇଛି। ଏହା ଝଡ଼ର ତୀବ୍ରତାକୁ ସ୍ପଷ୍ଟ କରୁଛି।
