୭୦ ବର୍ଷର ବାପାଙ୍କ ପାଇଁ ତାଳଗଛରେ ଲୁହାର ସ୍ପାଇରାଲ ସିଡ଼ି

ଗଛ ଚଢ଼ାରେ ବାପାଙ୍କ କଷ୍ଟ ଦେଖି ପୁଅର ଅଭିନବ ଉପାୟ। ୭୦ ବର୍ଷର ବାପାଙ୍କ ଲାଗି ଗଛରେ ହିଁ ସିଡ଼ି ତିଆରି କରିଦେଲା ପୁଅ। ଏମିତିରେ ଗଛ ଚଢ଼ିବା କୌଣସି ଜରୁରୀ କାମ ନୁହେଁ। କିନ୍ତୁ ଜଣେ ଚାଷୀଙ୍କ ଲାଗି ଏହା ବେଶ ମାଏନା ରଖେ। ଯିଏ ଉଚ୍ଚା ଖଜୁରୀ ଓ ତାଳ ଗଛରେ ଚଢ଼ି ତାଡ଼ି ବିକି ଘରକୁ ରୋଜଗାର ଆଣନ୍ତି। ସେଥିଲାଗି ଗଛ ସହ ତାଙ୍କର ଭାବପ୍ରବଣତା ରୁହେ। ହେଲେ ବର୍ଷ ବର୍ଷ ଧରି ଏମିତି ଗଛରେ ଚଢ଼ୁଥିବା ବୟସ୍କ ପିତାଙ୍କ ଦୁଃଖ ଦେଖି ସହିପାରିଲାନି ପୁଅ। ଆଉ ଏମିତି କଲେ ଯେ, ଇଞ୍ଜିନିୟରିଂ ଜ୍ଞାନକୌଶଳ ବି ତାଜୁବ। ତାମିଲନାଡ଼ୁ ଓ ଦକ୍ଷିଣ ଭାରତର ଅନେକ କ୍ଷେତ୍ରରେ ଖଜୁରୀ ଓ ତାଳ ଗଛ ରୋଜଗାରର ମୁଖ୍ୟ ସ୍ରୋତ। ଏଥିରେ ଚଢ଼ିବା ଲୋକଙ୍କ ଜରୁରୀ ଆବଶ୍ୟକତା ଅଟେ। ଅଧିକ ବୟସରେ ଚଢିଲେ ଏହା ମୁସ୍କିଲ ହେବା ସହ ଜୀବନ ପ୍ରତି ବି ବିପଦ ସାଜିପାରେ। ସେଥିଲାଗି ଗଛରେ ହିଁ ସିଡି ଲଗାଇଦେଲେ ଚାଷୀ ପୁଅ। ଗଛରେ ସିଡ଼ି ଲଗାଇବା କୌଣସି ମାମୁଲି କଥା ନୁହେଁ। ଏହାର ଭିଡ଼ିଓ ଏବେ ଭାଇରାଲ ହେଲାଣି। ଏହି ଲୁହା ସିଡ଼ିରେ ପିଲାଙ୍କ ସହ ବୟସ୍କ ବି ଚଢ଼ିପାରିବେ। ୫୫ ଫୁଟ ଉଚ୍ଚ ଯାଏ ଆରାମରେ ଚଢ଼ିପାରିବେ। ଏ ଆଇଡିଆ ସଲାଇପୁର ଗାଁର ଦିନାକରଙ୍କ ଅଟେ। ଦିନାକରଙ୍କ ପରିବାର ପଲମାୟରା ଉଦ୍ୟୋଗରେ ବର୍ଷ ବର୍ଷ ଧରି କାମ କରିଆସୁଛନ୍ତି। ତାଙ୍କ ବାପା ବି ଏ କାମ କରୁଥିଲେ। ବାପାଙ୍କ କଷ୍ଟକୁ ଲାଘବ କରିବାକୁ ସେ ସିଡି ଲଗାଇଲେ। ଏହି ସିଡ଼ିରେ ପ୍ରାୟ ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏ ଖର୍ଚ୍ଚ ଆଉ କିଛି ବର୍ଷରେ ଭରଣା ହୋଇଯିବ ବୋଲି କହିଛନ୍ତି ଦିନାକର। ଥୁଥୁକୁଡି ଜିଲ୍ଲାର ଜଣେ ଚାଷୀ ଦିନାକରନ ତାଳଗଛ ଚଢ଼ିବାକୁ ସହଜ ଓ ସୁରକ୍ଷିତ କରିବା ପାଇଁ ଏହି ନିଆରା ପଦକ୍ଷେପ ନେଇଛନ୍ତି। ସାଥାନକୁଲମ ନିକଟସ୍ଥ ସାଲାଇପୁଦୁର ଗାଁର ୩୫ ବର୍ଷୀୟ ଦିନାକରରାଜ ଏକ ୫୫ ଫୁଟ ଉଚ୍ଚ ତାଳଗଛକୁ ଘେରି ଲୁହାର ସ୍ପାଇରାଲ ସିଢ଼ି ନିର୍ମାଣ କରିଛନ୍ତି। ଏହି ଅଭିନବ ବ୍ୟବସ୍ଥା ଫଳରେ ତାଳଗଛ ଚଢ଼ିବା ପୂର୍ବାପେକ୍ଷା ଅଧିକ ସହଜ ଓ ନିରାପଦ ହୋଇପାରିଛି। ପିଢ଼ି ପରମ୍ପରାରୁ ତାଳ ଗଛ ଉପରେ ନିର୍ଭରଶୀଳ। ତାଳରୁ ପଥନୀର (ମିଠା ରସ), ନୁଙ୍ଗୁ (ଆଇସ୍ ଆପଲ୍), ତାଳଫଳ ଏବଂ କରୁପ୍ପାଟ୍ଟି (ତାଳ ଗୁଡ଼) ସଂଗ୍ରହ କରି ସେମାନେ ଜୀବିକା ନିର୍ବାହ କରନ୍ତି। କିନ୍ତୁ ବର୍ତ୍ତମାନ ତାଳଗଛ ଚଢ଼ିବାରେ ପାରଦର୍ଶୀ ଶ୍ରମିକଙ୍କ ଅଭାବ ଦେଖାଦେବାରୁ ସେ ଏହି ଅଭିନବ ଉପାୟ ଖୋଜିଥିଲେ। ତିନିଜଣ ୱେଲ୍ଡରଙ୍କ ସହଯୋଗରେ ମାତ୍ର ପାଞ୍ଚ ଦିନରେ ଏହି ସିଢ଼ି ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ପୂର୍ବରୁ ଜଣେ ଶ୍ରମିକ ଦିନକୁ ପ୍ରାୟ ୧୦ଟି ତାଳଗଛରୁ ରସ ସଂଗ୍ରହ କରିପାରୁଥିବାବେଳେ, ବର୍ତ୍ତମାନ ଏହି ସିଢ଼ି ସାହାଯ୍ୟରେ ସେ ପ୍ରାୟ ୩୦ଟି ଗଛରୁ ରସ ସଂଗ୍ରହ କରିପାରୁଛନ୍ତି। ଫଳରେ ସମୟ, ପରିଶ୍ରମ ଓ ଶ୍ରମିକ ସଂଖ୍ୟା—ତିନୋଟିରେ ସଞ୍ଚୟ ହେଉଛି। ଦିନାକରରାଜଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚ ପ୍ରାୟ ଏକ ବର୍ଷ ମଧ୍ୟରେ ଉଠିଆସିବ। ସେହିପରି ଲୁହାର ସିଢ଼ିଟି ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ରହିବ ବୋଲି ସେ ଆଶା କରୁଛନ୍ତି। ଦିନାକରରାଜଙ୍କ ବିଶ୍ୱାସ, ତାଙ୍କର ଏହି ଅଭିନବ ପ୍ରୟାସ ଯୁବପିଢ଼ିଙ୍କୁ ତାଳଚାଷ ଓ ତାଳଭିତ୍ତିକ ଜୀବିକା ପ୍ରତି ଆକର୍ଷିତ କରିବା ସହ ପାରମ୍ପରିକ ତାଳ ଶିଳ୍ପକୁ ନୂଆ ଦିଗ ଦେବ।
