ଦିନକ ପରେ ରଜ । ଦଉଡି ପ୍ରସ୍ତୁତିରେ କାରିଗର।
ରଜଦୋଳି ପାଇଁ ଚାଲିଛି ଦଉଡି ତିଆରି। ଆଉ ଦେଖିବାକୁ ମିଳୁନି ଝୋଟ ଦଉଡିର ଦୋଳି, ବଜାରରେ ବଢୁଛି ପ୍ଲାଷ୍ଟିକ ଦଉଡି ଦୋଳିର ଚାହିଦା। କାଲି ସଜବାଜ।
ବନ୍ତସ୍ତେ ଡାକିଲା ଗଜ.. ବରସକେ ଥରେ ଆସିଛି ରଜ। ଆଉ ଦିନକ ପରେ ଓଡିଶାର କୃଷି ଭିତ୍ତିକ ଗଣପର୍ବ ରଜ । ପୁରପଲ୍ଲୀ ରୁ ସହର ସବୁଠି ହେବ ରଜ ପାଳନ। ରଜ ଆସିଲେ ଯେମିତି ପୋଡ ପିଠାର ବାସ୍ନା ମହକେ, ସେହିପରି ଦୋଳି ବିନା ରଜ ପର୍ବ ଅଧୁରା। ସେଥିପାଇଁ ରଜ ଆସିଲେ ଆଗେ ଖୋଜା ପଡେ ରଜ ଦୋଳି ପାଇଁ ଦଉଡି । କିଛି ବର୍ଷ ପୂର୍ବେ ଝୋଟ ଦଉଡ଼ିର ବହୁ ଚାହିଦା ଥିଲା। ବଜାରରେ ଏହାର ବିକଳ୍ପ ନଥିବାରୁ ବେଶ ଭଲ ଦୁଇ ପଇସା ରୋଜଗାର କରୁଥିଲେ ଦଉଡି କାରିଗର। ଏବେ କିନ୍ତୁ ଝୋଟ ଆଉ ପର୍ଯ୍ୟପ୍ତ ପରିମାଣରେ ମିଳୁନଥିବାରୁ ଏହାର ସ୍ଥାନ ନେଇଛି ପ୍ଲାଷ୍ଟିକ ରସି। କାରିଗରମାନେ ଏବେ ଝୋଟ ଦଉଡି କମ ପ୍ଲାଷ୍ଟିକ ଜରି ଦଉଡି ଉପରେ ବେସି ନିର୍ଭର କରୁଛନ୍ତି। ଏ ହେଉଛି କଟକ ସାଲେପୁର ବ୍ଲକ ବାଲିସମଳା ଗାଁ। ଏହି ଗାଁର ଅଧିକାଂଶ ଲୋକ ହେଲେ ଦଉଡି ଶିଳ୍ପୀ। ପୂର୍ବରୁ କେବଳ ଝୋଟରେ ଦଉଡି ତିଆରି କରି ସେଥିରେ ବିଭିନ୍ନ ପ୍ରକାର ଝୋଟଜାତ ଦ୍ରବ୍ୟ ତିଆରି କରି ସେସବୁ ବିକ୍ରି କରି ଚଳୁଥିଲେ। କିନ୍ତୁ, ବର୍ତ୍ତମାନ ସମୟରେ, ଅଧିକା ପରିମାଣରେ ଝୋଟ ଚାଷ ନହେବା ଓ ସରକାରଙ୍କର ଏଥିପାଇଁ ପ୍ରୋତ୍ସାହନ ନମିଳିବା ହେତୁ ଧୀରେ ଧୀରେ ଝୋଟ ଚାଷ ହ୍ରାସ ହେଉଛି, ଫଳରେ ଝୋଟ ବିକଳ୍ପରେ ପଲିଥିନ ଅଖା, ଜରି ଓ ପ୍ଲାଷ୍ଟିକ ରସି ତିଆରି କରି ସେଥିରେ ରଜ ଦୋଳି ସହ ବିଭିନ୍ନ ସାମଗ୍ରୀ ତିଆରି ବିକ୍ରି କରୁଛନ୍ତି କାରିଗର। ଅନ୍ୟପଟେ ବଜାରରେ ମଧ୍ୟ ପ୍ଲାଷ୍ଟିକ ରସିର ଦୋଳି ବେସି ଚାହିଦା ରହି ଥିବା ନେଇ କହିଛନ୍ତି କାରୀଗର। ତେବେ ଦଉଡି କାରିଗର ମାନଙ୍କୁ ବଜାର ସୁବିଧା ଯୋଗାଇଦେବା ଓ ସରକାରି ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ବେସ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଦଉଡି ଶିଳ୍ପୀ କହିଛନ୍ତି।
ରିପୋର୍ଟ- ଯଜ୍ଞେଶ୍ବର ବିଶ୍ୱାଳ, ସାଲେପୁର, କଟକ
