ପଞ୍ଚାୟତ-ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର, ଅକ୍ଟୋବରରୁ ଘରକୁ ଘର ଭୋଟର ସର୍ଭେ
ଅକ୍ଟୋବର ମାସରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଆଧାରରେ ବୁଥ୍ଭିତ୍ତିକ ଭୋଟର ତାଲିକାକୁ ସଂଶୋଧନ କରାଯିବ। ପ୍ରତ୍ୟେକ ଘରକୁ ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଏକାଠି ତାଲିକାଭୁକ୍ତ କରିବା, ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ସହ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

୨୦୨୭ରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ, ପୌର ନିଗମ କମିଶନର, ଉପ-ଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଅକ୍ଟୋବର ମାସରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଆଧାରରେ ବୁଥ୍ଭିତ୍ତିକ ଭୋଟର ତାଲିକାକୁ ସଂଶୋଧନ କରାଯିବ। ପ୍ରତ୍ୟେକ ଘରକୁ ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଏକାଠି ତାଲିକାଭୁକ୍ତ କରିବା, ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ସହ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସର୍ଭେ ପାଇଁ ପ୍ରତ୍ୟେକ ଦଳରେ ବୁଥ୍ ଲେଭେଲ୍ ଅଫିସର (BLO) ଟିମ୍ ଲିଡର ରହିବେ। ତାଙ୍କୁ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିବେ। ଆବଶ୍ୟକ ସ୍ଥଳରେ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ସାମିଲ କରାଯିବ। ବ୍ଲକ ଓ ସହରାଞ୍ଚଳ ସ୍ତରରେ ସୁପରଭାଇଜର ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ।
ରାଜ୍ୟ ନିର୍ବାଚନ ଆୟୋଗ ୧ ଜାନୁଆରୀ ୨୦୨୭ରେ ଖସଡ଼ା ଭୋଟର ତାଲିକା ଏବଂ ୧୦ ଫେବୃଆରୀ ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାର ଲକ୍ଷ୍ୟ ରଖିଛି। ସମୟସୀମା ମଧ୍ୟରେ ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
