ଦୁଇ ଦଉଡ଼ି ଭରସାରେ ଜୀବନ! ନଈ ପାର ହେଉଛନ୍ତି ୫ ଗାଁର ଲୋକ
ଦୁଇଟି ଦଉଡି ଭରସାରେ ଜୀବନକୁ ବାଜି ଲଗେଇ ପାର ହେଉଛନ୍ତି ନଈ। ମୁଠାଏ ଚାଉଳ ପାଇଁ ହେଉ ଅଥବା ଟିକିଏ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇବା ପାଇଁ ହେଉ,ଜୀବନକୁ ବାଜି ଲଗାଇ ଅନ୍ୟ ପଟକୁ ଯିବାକୁ ପଡୁଛି । ସ୍ବାଧୀନତାର ୮୦ ବର୍ଷ ପରେବି ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଜିମାହା ଘାଟରେ ।
ଦୁଇ ଦଉଡ଼ି ଭରସାରେ ଜୀବନ! ନଈ ପାର ହେଉଛନ୍ତି ୫ ଗାଁର ଲୋକ
କନ୍ଧମାଳ: ଦୁଇଟି ଦଉଡ଼ିକୁ ଭରସା କରି ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି ଲୋକେ। ମୁଠାଏ ଚାଉଳ ପାଇଁ ହେଉ କି ଟିକିଏ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ—ପ୍ରତିଦିନ ଜୀବନକୁ ବିପଦରେ ପକାଇ ନଦୀ ପାର ହେବାକୁ ପଡୁଛି। ସ୍ୱାଧୀନତାର ୮୦ ବର୍ଷ ପରେ ବି କନ୍ଧମାଳ ଜିଲ୍ଲାରେ ଏଭଳି କରୁଣ ଚିତ୍ର ବିକାଶର ବାସ୍ତବତା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତର ପାଜିମାହା ଘାଟରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ। ପଞ୍ଚାୟତର ୩ ନମ୍ବର ୱାର୍ଡ ଅନ୍ତର୍ଗତ କାଡ଼ାମାହା, ଟକପଦର, କାମେରି, ଡୁବଲାମାହା ଓ ବାଲିମାହା—ଏହି ପାଞ୍ଚଟି ଗାଁ ପାଜିମାହା ଘାଟର ଅପରପାର୍ଶ୍ୱରେ ରହିଛି। ଏହି ଗାଁଗୁଡ଼ିକରେ ୫ ଶହରୁ ଅଧିକ ଲୋକ ବସବାସ କରନ୍ତି। ଏହି ଗାଁର ଲୋକଙ୍କ ପାଇଁ ପରମପାଙ୍ଗା ପଞ୍ଚାୟତ ହେଉଛି ସମସ୍ତ କାମର ମୁଖ୍ୟ କେନ୍ଦ୍ର। କିନ୍ତୁ ବର୍ଷା ଦିନ ଆସିଲେ ପଞ୍ଚାୟତକୁ ଯିବା ଏକ ବଡ଼ ବିପଦ। ନଈର ଜଳସ୍ତର ବଢ଼ିଗଲେ ଯୋଗାଯୋଗ ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ତଥାପି ଜରୁରୀ କାମ ପାଇଁ ଦୁଇଟି ଦଉଡ଼ିକୁ ଧରି ନଈ ପାର ହେବାକୁ ପଡ଼େ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ମହିଳା, ପୁରୁଷ ଓ ବୃଦ୍ଧ—ସମସ୍ତେ ଏହି ବିପଦପୂର୍ଣ୍ଣ ଉପାୟରେ ନଈ ପାର ହେଉଛନ୍ତି। ଜୀବନ ହାତରେ ଧରି ଦଉଡ଼ି ସାହାଯ୍ୟରେ ନଈ ପାର ହେବା ଏଠାକାର ଲୋକଙ୍କ ଦୈନନ୍ଦିନ ଦୁଃଖ ପାଲଟିଛି।
ଅସୁସ୍ଥ ହେଲେ ଆହୁରି ଭୟଙ୍କର ସ୍ଥିତି
କେହି ହଠାତ୍ ଅସୁସ୍ଥ ହୋଇପଡ଼ିଲେ ସମସ୍ୟା ଆହୁରି ଗମ୍ଭୀର ହୋଇଯାଏ। ଆମ୍ବୁଲାନ୍ସ ତ ଦୂରର କଥା, ରୋଗୀଙ୍କୁ ବଡ଼ ହଣ୍ଡାରେ ବସାଇ ନଈ ପାର କରାଇବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ରୋଗୀଙ୍କ ଜୀବନ ସହ ଉଦ୍ଧାର କରୁଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି।
ବିକାଶ ଉପରେ ବଡ଼ ପ୍ରଶ୍ନ
ଗାଁକୁ ରାସ୍ତା, ଗମନାଗମନ ଓ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଛନ୍ତି। ହେଲେ ପାଜିମାହା ଘାଟର ଏହି ଚିତ୍ର ସରକାରୀ ବିକାଶର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛି। ବର୍ଷ ବର୍ଷ ଧରି ପୋଲ ନିର୍ମାଣ ଦାବି କରିଆସୁଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ପ୍ରତିଦିନ ବିପଦକୁ ସାଥୀ କରି ଜୀବନ ଜୀଉଛନ୍ତି ପାଞ୍ଚଟି ଗାଁର ଶହ ଶହ ଆଦିବାସୀ ଲୋକ। କେବେ ନିର୍ମାଣ ହେବ ପୋଲ? କେବେ ଦୂର ହେବ ଗାଁବାସୀଙ୍କ ଦୁଃଖ? ଦୁଇ ଦଉଡ଼ିର ଭରସାରୁ କେବେ ମୁକ୍ତ ହେବେ ଏହି ଗାଁର ଲୋକ?—ଏବେ ଏହା ହିଁ ବଡ଼ ପ୍ରଶ୍ନ।
