Hockey Team Felicitation: ସ୍ୱର୍ଣ୍ଣ ବିଜେତା ହକି ଦଳକୁ ମୋହନ ମାଝୀଙ୍କ ଭବ୍ୟ ସମ୍ବର୍ଦ୍ଧନା
ଏସୀୟ କ୍ରୀଡ଼ା ୨୦୨୬ର ସ୍ୱର୍ଣ୍ଣ ବିଜେତା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ମୋହନ ମାଝୀଙ୍କ ଭବ୍ୟ ସମ୍ବର୍ଦ୍ଧନା | କଳିଙ୍ଗ ଷ୍ଟାଡିୟମରେ ହକି ହିରୋଙ୍କ ଉପରେ ୫.୬୧ କୋଟି ଟଙ୍କାର ପୁରସ୍କାର ବର୍ଷା | ଓଡ଼ିଶାର ୩ ହକି ତାରକାଙ୍କୁ ମିଳିଲା ୨୦ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର |

ହକି ହିରୋଙ୍କ ଉପରେ ଓଡ଼ିଶାର ପୁରସ୍କାର ବର୍ଷା | ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗତକାଲି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୫ କୋଟି ୬୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଗତକାଲି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେଇଛନ୍ତି। ଏହା ସହିତ ଓଡ଼ିଶାର ତିନି ହକି ତାରକା ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରକୃତ ଆଇକନ୍। ସେମାନଙ୍କ ସଫଳତା ଯୁବ କ୍ରୀଡ଼ାବିତ୍ଙ୍କୁ ଆଗକୁ ବଢ଼ିବା ଏବଂ ଆନ୍ତର୍ଜାତିକ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ। ବିଶେଷ କରି ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ କହିଛନ୍ତି।ସୁନ୍ଦରଗଡ଼ ଜିଲ୍ଲାର ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋଙ୍କ ସଫଳତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶା ସରକାର ଭାରତୀୟ ହକି ଦଳକୁ ସମର୍ଥନ ଜାରି ରଖିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସ୍ୱର୍ଣ୍ଣ ପଦକ ବିଜୟ ସହ ଭାରତୀୟ ହକି ଦଳର ଏହି ସଫଳତା ଦେଶର କ୍ରୀଡ଼ା ଜଗତରେ ନୂଆ ଉତ୍ସାହ ସୃଷ୍ଟି କରିଛି।
