Maa Biraja: କଟାଗଲା ପବିତ୍ର ବେଲଗଛ, ବିରଜାଙ୍କ ରଥ ନିର୍ମାଣ ଆରମ୍ଭ
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଏବଂ ବିଲ୍ୱ ବରୁଣ ପୂଜା ନିମନ୍ତେ ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଏବଂ ବିଲ୍ୱ ବରୁଣ ପୂଜା ନିମନ୍ତେ ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ନବାଙ୍କ ପୂଜା ସମ୍ପନ୍ନ କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ପାଇଁ ନିୟୋଜିତ ସେବାୟତମାନଙ୍କୁ ବରଣ କରାଯାଇଥିଲା। ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ୱରେ ବଳି ମଣ୍ଡପରେ ବିଧି ଅନୁଯାୟୀ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ୱାନ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପରମ୍ପରା ଅନୁଯାୟୀ ପୂଜା ପରେ ମା’ଙ୍କ ସିଂହଧ୍ୱଜ ରଥ ନିର୍ମାଣ ପାଇଁ ଚିହ୍ନଟ ବେଲ ଗଛ କଟାଯାଇଥାଏ । ଚଳିତ ବର୍ଷ ନହରପଦା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ବାଡ଼ିରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ କରାଯାଇଛି। ପୁରୋଧାଙ୍କ ସୂଚନା ଅନୁଯାୟୀ, ସୁନିଆ ପରଦିନଠାରୁ ମା’ ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସୁବନ୍ଦୋବସ୍ତ କରିଥିଲେ। ଏହି ଅବସରରେ ପୂଜକ, ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗର ସେବାୟତମାନେ ଉପସ୍ଥିତ ଥିଲେ ।
