Kotia Election Row : କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ!
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ତେଜିଲା | ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ରଦ୍ଦ ଓ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ କଂଗ୍ରେସର ଦାବି । ସ୍ଥାୟୀ ସମାଧାନ ଦାବି କଲେ ଭକ୍ତ ଚରଣ ଦାସ। ଅନ୍ୟପଟେ ଆନ୍ଧ୍ରର କାର୍ଯ୍ୟକୁ କଡ଼ା ଚେତାବନୀ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ସୀମା ବିବାଦ ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବା ସହ କୋଟିଆ ବିବାଦର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି।ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ନିଜର ମତ ରଖି ରାଜ୍ୟ ସରକାରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡ଼ିଛନ୍ତି। କଂଗ୍ରେସର ଦାବି ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଓଡ଼ିଶା ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ଏଥିସହ ମୁଖ୍ୟମନ୍ତ୍ରୀ କିମ୍ବା ରାଜସ୍ୱ ମନ୍ତ୍ରୀ ନିଜେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ। ଅନ୍ୟପକ୍ଷରେ, କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏହାଦ୍ୱାରା ଆନ୍ଧ୍ରପ୍ରଦେଶ ପକ୍ଷରୁ ବାରମ୍ବାର ହେଉଥିବା ହସ୍ତକ୍ଷେପକୁ ରୋକାଯାଇପାରିବ ବୋଲି ଦଳ ମତ ପ୍ରକାଶ କରିଛି।
ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହାର ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ଦଳ ସର୍ବଦା ଓଡ଼ିଶାବାସୀଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ରହିବ। 'କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ କେନ୍ଦ୍ରର ହସ୍ତକ୍ଷେପ ହିଁ ବିବାଦର ସ୍ଥାୟୀ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ' ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଆନ୍ଧ୍ର ସରକାର କୋଟିଆ ପ୍ରସଙ୍ଗରେ ବାରମ୍ବାର ଚଞ୍ଚକତା କରୁଥିବା ଅଭିଯୋଗ କରିବା ସହ ଏଭଳି କାର୍ଯ୍ୟକୁ ଓଡ଼ିଶା ସରକାର କୌଣସି ପରିସ୍ଥିତିରେ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି |
