ସ୍ୱାମୀକୁ ମାରି ୧୦ଫୁଟ ତଳେ ପୋତିଦେଲେ- ୨ ବର୍ଷ ପରେ ଖୁଲାସା
ମର୍ଡର କରିବା ପରେ ନିଜ ଘର ଓ ଶ୍ୱଶୁର ଘରକୁ ମିଛ କହିଆସୁଥିଲେ ପୃଥ୍ୱୀ। ଆଉ ବିଭ୍ରାନ୍ତ କରିବାକୁ ଲାଗିଥିଲେ ଯେ, ଜିଗ୍ନେଶ ଅଷ୍ଟ୍ରେଲିଆରେ ଚାକିରୀ କରୁଛନ୍ତି। ଯେବେବି ପରିବାର ତାଙ୍କ ନମ୍ୱର ମାଗୁଥିଲେ, ସେ ବାହାନା କରୁଥିଲା। କମ୍ପାନୀରେ ଫୋନରେ କଥା ହେବାକୁ ଅନୁମତି ନାହିଁ କହି ଟାଳି ଆସୁଥିଲା। ଏପରିକି କହୁଥିଲା, ଅଷ୍ଟ୍ରେଲିଆରେ ସ୍ଥାୟୀ ନାଗରିକତ୍ୱ ହାସଲ ପରେ ସେ ଭାରତ ଫେରିବେ।

ପତ୍ନୀଙ୍କ ନାଁ ପୃଥ୍ୱୀ। ହେଲେ ସ୍ୱାମୀକୁ ମାରି ୧୦ ଫୁଟ୍ ମାଟି ତଳେ ପୋତିଦେଲେ। ଜାମନଗରର ଦରେଡ଼ ଏରିଆରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ପୃଥ୍ୱୀ ଓରଫ୍ ଭୂମିବେନ୍ ମାଓ୍ୱଦିଆ ନିଜ ସ୍ୱାମୀ ଜିଗ୍ନେଶଙ୍କୁ ହତ୍ୟା କରି କାରଖାନା ଭିତରେ ହିଁ ୧୦ ଫୁଟ୍ ଗଭୀର ଖାତରେ ପୋତିଦେଲା। ଏ ପୁରା ପ୍ରକରଣକୁ ନିଜ ପ୍ରେମିକ ନିଲେଶ ସହ ମିଶି ସାକାର କରିଥିଲା। ତେବେ ପୁରା ୨ ବର୍ଷ ହେଲା ଏ ଘଟଣାର ସୋରଶବ୍ଦ କେହି ଜାଣିପାରିଲେନି। ଘଟଣା ଏମିତି। ବୋହୂକୁ ଯେବେ ଶାଶୁଘର ଫୋନ କରି ପୁଅର ନମ୍ୱର ମାଗନ୍ତି। ଆଉ ତା ସହ କଥା ହେବାକୁ ଚାହାନ୍ତି। ସବୁବେଳେ ପୃଥ୍ୱୀ ବାହାନା କରୁଥିଲେ। କେତେବେଳେ କହୁଥିଲେ, ସେ ଏବେ କାହା ସହ କଥା ହୋଇପାରିବେନି। କମ୍ପାନୀରେ ଫୋନ୍ କରିବାକୁ ଅନୁମତି ନାହିଁ। ଏମିତି ଜବାବ ୨ ବର୍ଷ ହେଲା ମିଳିଚାଲିଥିଲା। କାହାରିକୁ ବି ଅନ୍ଦାଜ ନଥିଲା, ଯେଉଁ ପୁଅ ସହ କଥା ହେବାକୁ ସେମାନେ ଚାତକ ଭଳି ଚାହିଁବସିଥିଲେ, ସେ ଅଷ୍ଟ୍ରେଲିଆରେ ନୁହେଁ। ବରଂ ସେହି ସହରର ୧୦ ଫୁଟ ତଳେ ତାକୁ ପୋତିଦିଆଯାଇଛି। ଏବେ ନଜର ପକାଇବା ପୁରା ମାମଲା ଉପରେ। ଜାମନଗରର ଦରେଡ଼ରେ ପୃଥ୍ୱୀ ଓ ନିଲେଶ ପରସ୍ପରକୁ ପ୍ରେମ କରୁଥିଲେ। ହେଲେ ସେମାନଙ୍କ ସମ୍ପର୍କରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଥିଲେ ସ୍ୱାମୀ ଜିଗ୍ନେଶ। ସେଥଲାଗି ରାସ୍ତାରୁ ହଟାଇବାକୁ ନିଜ ପ୍ରେମିକଙ୍କ ସହ ମିଶି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା। ଜିଗ୍ନେଶକୁ ପାର୍ଟି ବାହାନାରେ ନିଜ କାରଖାନାକୁ ଡାକିଥିଲା ନିଲେଶ। ସେଠାରେ ଜିଗ୍ନେଶ ମଦରେ ସିଆନାଇଡ୍ ମିଶାଇଦେଇଥିଲା। ଯେମିତି ଜିଗ୍ନେଶଙ୍କ ମୃତ୍ୟୁ ହେଲା, ଆଉ ଜଣେ ବ୍ୟକ୍ତି ସହ ମିଶି ଶବକୁ ଲୁଚାଇବାକୁ ସେହି କାରଖାନା ଭିତରେ ୧୦ଫୁଟ୍ ଗାତ ଖୋଳି ପୋତିଦେଇଥିଲେ। ମର୍ଡର କରିବା ପରେ ନିଜ ଘର ଓ ଶ୍ୱଶୁର ଘରକୁ ମିଛ କହିଆସୁଥିଲେ ପୃଥ୍ୱୀ। ଆଉ ବିଭ୍ରାନ୍ତ କରିବାକୁ ଲାଗିଥିଲେ ଯେ, ଜିଗ୍ନେଶ ଅଷ୍ଟ୍ରେଲିଆରେ ଚାକିରୀ କରୁଛନ୍ତି। ଯେବେବି ପରିବାର ତାଙ୍କ ନମ୍ୱର ମାଗୁଥିଲେ, ସେ ବାହାନା କରୁଥିଲା। କମ୍ପାନୀରେ ଫୋନରେ କଥା ହେବାକୁ ଅନୁମତି ନାହିଁ କହି ଟାଳି ଆସୁଥିଲା। ଏପରିକି କହୁଥିଲା, ଅଷ୍ଟ୍ରେଲିଆରେ ସ୍ଥାୟୀ ନାଗରିକତ୍ୱ ହାସଲ ପରେ ସେ ଭାରତ ଫେରିବେ। ତେବେ ନିକଟରେ ପରିବାରର ଜଣେ ସଦସ୍ୟ ଅଷ୍ଟ୍ରେଲିଆ ବାହାରୁଥିଲେ। ଜିଗ୍ନେଶକୁ ଅଷ୍ଟ୍ରେଲିଆରେ ଭେଟିବାକୁ ପୃଥ୍ୱୀଙ୍କଠୁ ନମ୍ୱର ମାଗିଥିଲେ। ଏହା ସହ ଚେତାବନୀ ବି ଦେଇଥିଲେ, ଯଦି ଏଥର ଜିଗ୍ନେଶଙ୍କ ନମ୍ୱର ସେ ଦେବେନି, ତାହେଲେ ସେ ପୁଲିସ ପାଖକୁ ଯିବେ। ବାସ୍ ଏହି ଧମକରେ ୨ ବର୍ଷର ପୁରୁଣା ମିଛ ବିଗିଡ଼ିଗଲା। ଏତିକି ଶୁଣିବା ମାତ୍ରେ ପୃଥ୍ୱୀର ହାତଗୋଡ଼ କମ୍ପିଥିଲା। ଆଉ ସେ ନିଜର ସବୁ ଦୋଷ ମାନିଗଲେ। ଏହା ପରେ ମୃତକ ଜିଗ୍ନେଶଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ମାମଲାର ଗମ୍ଭୀରତାକୁ ଦେଖି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବର ଅବଶେଷକୁ ମେସିନ୍ ସାହାଯ୍ୟରେ ବାହାର କରିଥିଲା ପୁଲିସ। ଫରେନସିକ ଯାଞ୍ଚ ଲାଗି ଶବକୁ ପଠାଯାଇଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
