ଧାମ ବିବାଦରେ ଜିତିଲା ଜଗନ୍ନାଥ ଧାମ
ଓଡ଼ିଶା ସରକାରଙ୍କ କେବଳ ଧାମ ଶବ୍ଦର ବ୍ୟବହାର ଉପରେ ପ୍ରତିବାଦ ଥିଲା। ଦୀଘାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି କୌଣସି ଆପତ୍ତି ନାହିଁ। ସେ ମନ୍ଦିର ସମସ୍ତଙ୍କ ଲାଗି ଭକ୍ତି, ଆସ୍ଥା ଓ ବିଶ୍ୱାସର ବି ଏକ କେନ୍ଦ୍ର ଅଟେ।

ସନାତନ ଧର୍ମରେ ୪ଟି ପବିତ୍ର ଧାମର ବିଶେଷ ମହତ୍ତ୍ୱ ରହିଛି। ଏହି ୪ ଧାମରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମ। ଯାହା କୋଟି କୋଟି ସନାତନଙ୍କ ଆସ୍ଥାର କେନ୍ଦ୍ରସ୍ଥଳ ଅଟେ। ପଶ୍ଚିମବଙ୍ଗରେ ତତ୍କାଳୀନ ଟିଏମସି ସରକାରଙ୍କ ସମୟରେ ଦୀଘାରେ ନିର୍ମିତ ମହାପ୍ରଭୂଙ୍କ ମନ୍ଦିରର ନାମକରଣ ଦିଘା ଜଗନ୍ନାଥ ଧାମ କଲେ। ଧାମ ଶବ୍ଦର ବ୍ୟବହାର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଗଭୀର ଭାବେ ଜଡ଼ିତ। ଏ ସମ୍ପର୍କରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖି ନାମ ପରିବର୍ତ୍ତନ ନେଇ ଅନୁରୋଧ କରିଥିଲେ। କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଅବଗତ ବି କରାଇଥିଲେ। ତେବେ ଏଥିରେ କୌଣସି ସୁଫଳ ମିଳିନଥିଲା। ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୁରୀ ସାଂସଦ ସମ୍ୱିତ ପାତ୍ର ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟି ଏ କଥା ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଥିବା ଚିଠିର ଗମ୍ଭୀରତାକୁ ଉପଲବ୍ଧି କରି ଶେଷରେ ଦୀଘାରୁ ଧାମ ଶବ୍ଦ ହଟିବ ବୋଲି ଘୋଷଣା କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଦୀଘା ଜଗନ୍ନାଥ ଧାମର ନାଁ ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା କରିବାକୁ ଅନୁରୋଧ କରାଯାଇଥିଲା। ସନାତନ ଧର୍ମରେ ଧାମ ଶବ୍ଦ ଅତ୍ୟନ୍ତ ପବିତ୍ର ଓ ଏହାର ବିଶେଷ ଗୁରୁତ୍ୱ ଥାଏ ବୋଲି କହିଛନ୍ତି ସାଂସଦ ସମ୍ୱିତ ପାତ୍ର। ଓଡ଼ିଶା ସରକାରଙ୍କ କେବଳ ଧାମ ଶବ୍ଦର ବ୍ୟବହାର ଉପରେ ପ୍ରତିବାଦ ଥିଲା। ଦୀଘାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି କୌଣସି ଆପତ୍ତି ନାହିଁ। ସେ ମନ୍ଦିର ସମସ୍ତଙ୍କ ଲାଗି ଭକ୍ତି, ଆସ୍ଥା ଓ ବିଶ୍ୱାସର ବି ଏକ କେନ୍ଦ୍ର ଅଟେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହା ଥିଲା ଭକ୍ତଙ୍କ ହୃଦୟର ଭାଷା। ମହାପ୍ରଭୂଙ୍କ ଧାମର ଅନୁକରଣ, ଅପବ୍ୟବହାର ନ ହେଉ। ଏହା ହିଁ ଥିଲା ସମସ୍ତଙ୍କ ଭାବପ୍ରବଣତା। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ତତ୍କାଳୀନ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବଡ଼ ଘୋଷଣା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଇନମନ୍ତ୍ରୀ।
