ଫୁଲୁଛି ଇନ୍ଦ୍ରାବତୀ ଜଳଭଣ୍ଡାର, ଡାକବାଜି ଯନ୍ତ୍ରରେ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ
ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର। ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ସଜାଗ ହୋଇଛି।ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି।
ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡ ଥୁଆମୂଳ ରାମପୁର ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ଆଗକୁ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ସଜାଗ ହୋଇଛି। ଇନ୍ଦ୍ରାବତୀ ଡ୍ୟାମର ସବ୍ଡିଭିଜନ ଅଫିସର କମଲ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୯.୬୦୦ ମିଟରରେ ପହଞ୍ଚିଛି। ଡ୍ୟାମର ପୂର୍ଣ୍ଣ ଜଳଧାରଣ ସ୍ତର ବା FRL ୬୪୨ ମିଟର। ଅର୍ଥାତ୍ ପୂର୍ଣ୍ଣ ଜଳସ୍ତରଠାରୁ ମାତ୍ର ପ୍ରାୟ ୨.୪ ମିଟର ତଳେ ରହିଛି ଜଳସ୍ତର। ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବଢ଼ିପାରେ। ଏଭଳି ସ୍ଥିତିରେ ଆବଶ୍ୟକତା ଅନୁଯାୟୀ ଯେକୌଣସି ସମୟରେ ଜଳଭଣ୍ଡାରର ସ୍ପିଲୱେ ଗେଟ୍ ଖୋଲାଯାଇପାରେ। ଗେଟ୍ ଖୋଲାଗଲେ ଇନ୍ଦ୍ରାବତୀ ନଦୀରେ ହଠାତ୍ ଜଳପ୍ରବାହ ବଢ଼ିବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକ୍ର ଇନ୍ଦ୍ରାବତୀ ନଦୀ ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଭାଗୀୟ କର୍ମଚାରୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ନଦୀ ନିକଟକୁ ନଯିବା ଏବଂ ନଦୀର ପାଣି ବ୍ୟବହାର ନକରିବାକୁ ପରାମର୍ଶ ଦେଉଛନ୍ତି। ଏଥିସହ ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ନଦୀ ନିକଟକୁ ନଛାଡ଼ିବାକୁ ସତର୍କ କରାଯାଉଛି। ଉପରସ୍ତରରୁ ନିର୍ଦ୍ଦେଶ ମିଳିବା ପରେ ଆବଶ୍ୟକତା ଅନୁଯାୟୀ ଗେଟ୍ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶେଷ ଥର ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରର ସ୍ପିଲୱେ ଗେଟ୍ ମାଧ୍ୟମରେ ଜଳ ଛଡ଼ାଯାଇଥିଲା। ପ୍ରାୟ ୭ ବର୍ଷ ପରେ ୨୦୨୬ରେ ପୁଣି ଗେଟ୍ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଏଚ୍ପିସି ତଥ୍ୟ ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ ସ୍ତର ୬୪୨ ମିଟର ଏବଂ ସର୍ବନିମ୍ନ ଡ୍ରଡାଉନ୍ ସ୍ତର ୬୨୫ ମିଟର।
