ଫାଇନାଲରେ ଘାସ ବିକି ଟଙ୍କା କମାଇବ ଫିଫା!
ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଘାସ ବିକି ଟଙ୍କା ରୋଜଗାର କରିବାକୁ ଚାହୁଁଛି ଫିଫା। ନ୍ୟୁ ଜର୍ସିର ମେଟଲାଇଫ ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲରେ ବ୍ୟବହାର ହେବାକୁ ଥିବା ପିଚର ପ୍ରତିଟି ଘାସ ଟୁକୁଡ଼ାକୁ ୪୫୦ ଡଲାର ଅର୍ଥାତ୍ ପ୍ରାୟ ୪୩ହଜାରରୁ ୪୫ହଜାର ଟଙ୍କାରେ ବିକିବାକୁ ଯୋଜନା କରିଛି ଫିଫା।

ଘାସ ବି ବିକ୍ରି ହେବ। ତା ପୁଣି ଏମିତି ସେମିତି ଘାସ ନୁହେଁ। ବିଶ୍ୱକପ୍ ଫାଇନାଲର ଘାସ। ଶୁଣିବାକୁ ଖଟକା ଲାଗିପାରେ। ଆଉ ତାଜୁବ୍ ବି। ହେଲେ ଖେଳରୁ ଫିଫା ଏମିତି ବାଗରେ ଆୟ କରିବାକୁ କୁଆଡ଼େ ଭାବିଛି ବୋଲି ସବୁଠି ଚର୍ଚ୍ଚା। ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ବିଶ୍ୱକପରୁ ଆୟ କରିବାକୁ ଯେମିତି କୌଣସି ମଉକା ଛାଡ଼ୁନି। ପିଚରେ ଥିବା ଘାସର ଟୁକୁଡା ବିକି ଟଙ୍କା ରୋଜଗାର କରିବାକୁ ଚାହୁଁଛି। ଗୋଟିଏ ଟୁକୁଡ଼ା ଘାସର ଦାମ କୁଆଡ଼େ ୪୫ହଜାର ଟଙ୍କା। ଫିଫା ବିଶ୍ୱକପ ଏବେ ଅନ୍ତିମ ପର୍ଯ୍ୟାୟରେ। ଦୁଇ ସେମିଫାଇନାଲିଷ୍ଟ ସ୍ପେନ ଓ ଫ୍ରାନ୍ସ ପହଞ୍ଚିସାରିଲେଣି। କାଲି ଆଉ ଦୁଇଟି ଟିମ୍ ସେମିଫାଇନାଲ ଲାଗି ଖେଳିବେ। ଆର୍ଜେଣ୍ଟିନା ବନାମ ସ୍ୱିଜରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବନାମ ନରଓ୍ୱେ ଭିତରେ ଖେଳ ହେବ। ଫଳରେ ୪ ସେମିଫାଇନାଲିଷ୍ଟଙ୍କ ଭିତରେ ଫାଇନାଲ ମୁକାବିଲା ହେବ। ହେଲେ ଜୁଲାଇ ୧୯ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଘାସ ବିକି ଟଙ୍କା ରୋଜଗାର କରିବାକୁ ଚାହୁଁଛି ଫିଫା। ନ୍ୟୁ ଜର୍ସିର ମେଟଲାଇଫ ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲରେ ବ୍ୟବହାର ହେବାକୁ ଥିବା ପିଚର ପ୍ରତିଟି ଘାସ ଟୁକୁଡ଼ାକୁ ୪୫୦ ଡଲାର ଅର୍ଥାତ୍ ପ୍ରାୟ ୪୩ହଜାରରୁ ୪୫ହଜାର ଟଙ୍କାରେ ବିକିବାକୁ ଯୋଜନା କରିଛି ଫିଫା। ପ୍ରତି ଘାସଟୁକୁଡ଼ାର ଆକାର ୧୭.୫ ରହିବ। ତେବେ ଏହା ଇଞ୍ଚ, ସେଣ୍ଟିମିଟର ନା ମିଲିମିଟରରେ ହେବ, ସ୍ପଷ୍ଟ ହୋଇନି। ଫିଫାର ଓ୍ୱେବସାଇଟରେ ଲେଖାଯାଇଛି, ଫୁଟବଲ ଇତିହାସକୁ ଏକ ପ୍ରାମାଣିକ ଅଂଶ ଭାବେ ନିଜ ପାଖରେ ସ୍ମରଣୀୟ କରି ରଖନ୍ତୁ। ଯାହା ଫିଫା ବିଶ୍ୱକପ ୨୦୨୬ ଫାଇନାଲ ପିଚର ଏକ ଟୁକୁଡ଼ା ଅଟେ। ମୈଦାନରେ ଏହି ଟୁକୁଡ଼ା ଯଦିଓ ଆମେରିକା ଓ ୟୁରୋପର ଠିକଣାରେ ପଠାଯିବ। ଫୁଟବଲ ପ୍ରେମୀ ଏବେଠୁ ଏହା ଲାଗି ଅର୍ଡର କରିପାରନ୍ତି। ଆଉ ଫାଇନାଲ ପରେ ହିଁ ସେ ଟୁକୁଡ଼ା ପଠାଇଦିଆଯିବ। ଅନଲାଇନରେ ଅର୍ଡର କରି ବି ଫାଇନାଲ ନ ସରିବା ଯାଏ ଏହା ସିପିଂ ହେବନି। ଫିଫା ଫାଇନାଲ ପାଇଁ ସାଧାରଣ ଟିକଟ ୩୨ହଜାର୯୭୦ ଡଲାର ଯାଏ ବିକ୍ରି ହେଉଛି। ଏଥିରେ ଯଦି ଖାଇବା ପିଇବା ସାମିଲ ହେବ, ତାହେଲେ ଟିକଟ ଦର ୩୪,୫୦୦ ଡଲାର ଯାଏ ଛୁଇଁବ। ଏହି ଟିକଟରେ ଖାଇବା ପିଇବା ସାମଗ୍ରୀର ସୁବିଧା ବି ଉପଲବ୍ଧ ଅଛି। ଫିଫାର ଏଭଳି ଘାସ ବିକି ଟଙ୍କା ଆଦାୟ କରିବାର ଫର୍ମୁଲାକୁ ନେଇ ସବୁଠି ଚର୍ଚ୍ଚା। ଏମିତିରେ ପୂର୍ବରୁ ବିଶ୍ୱକପ ଟିକଟ ଓ ଅନ୍ୟ ସାମଗ୍ରୀ ବିକ୍ରି କରି ଅନେକ ସମାଲୋଚନାର ଶୀକାର ହୋଇଛି ଫିଫା।
